-
୪ ହଜାର ୭ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ଆଜି କେନ୍ଦୁଝର ଗସ୍ତରେ ଆସି ଧରଣୀଧର ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲର ଲୋକାର୍ପଣ କରିବା ସହ ୪ ହଜାର ୭ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ଵରରୁ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ଆସି ଧରଣୀଧର ମେଡ଼ିକାଲ କଲେଜ ନିକଟ ହେଲିପ୍ୟାଡରେ ପହଂଚିଥିଲେ । ସେଠାରୁ ତାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା । ଏହାପରେ ଧରଣୀଧର ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ମେଡ଼ିକାଲ କଲେଜରେ ପ୍ରଥମ ବର୍ଷ ୧୦୦ଟି ଏମବିବିଏସ ସିଟ୍ ରେ ପାଠପଢ଼ା ଆରମ୍ଭ ହୋଇଛି । ଏହାପରେ ଧରଣୀଧର ମେଡ଼ିକାଲ କଲେଜ ସମ୍ମୁଖରେ ଆୟୋଜିତ ଏକ ବିଶାଳ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଜୟ ମା ତାରିଣୀ । ମାନ୍ୟବର ମନ୍ତ୍ରୀଗଣ, ସାଂସଦ, ବିଧାୟକ ଏବଂ ପ୍ରିୟ ଭାଇ ଓ ଭଉଣୀ ମାନେ । ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର । ଆଜି କେନ୍ଦୁଝର ଆସି ଓ ଆପଣମାନଙ୍କୁ ଭେଟି ମୁଁ ବହୁତ ଖୁସି । ଏ ମାଟିର ବିପ୍ଲବୀ ଧରଣୀଧରଙ୍କ ପ୍ରତି ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କେନ୍ଦୁଝର ପାଇଁ ଏକ ଆନନ୍ଦର ଦିନ । କେବଳ କେନ୍ଦୁଝର ନୁହେଁ ସାରା ଓଡ଼ିଶାର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ଗୌରବର ଦିନ । ଆଜି ଆପଣମାନଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଖୁସିର କଥା କେନ୍ଦୁଝର ଧରଣୀଧର ମେଡ଼ିକାଲ କଲେଜ ଓ ହସ୍ପିଟାଲ ଆଜି ଉଦଘାଟିତ ହେଲା । ଆପଣମାନେ ଖୁସି ତ । ମୁଁ ବି ବହୁତ ଖୁସି । ମୁଁ ଆଶା କରୁଛି ଏହାଦ୍ଵାରା ଜିଲ୍ଲାରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆସିବ । ଲୋକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇଦେବାରେ ଏହା ସଫଳ ହେବ । ଜିଲ୍ଲାରେ ଅଧିକ ଡାକ୍ତର ସୃଷ୍ଟି ହେବେ । ଗରିବ ଲୋକମାନଙ୍କୁ ଆଉ ସ୍ଵାସ୍ଥ୍ୟସେବା ପାଇବା ପାଇଁ କଟକ, ଭୁବନେଶ୍ଵର ଯିବାକୁ ପଡିବ ନାହିଁ ।
ଏହି ଅବସରରେ ୪ ହଜାର ୭ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଭୂୟାଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ, କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।