କେନ୍ଦ୍ରାପଡ଼ା – ପ୍ରକୃତିର ଅମୁଲ୍ୟ ସଂପଦ ମାଟି ଜୀବଜଗତ ପାଇଁ ଏକ ଅପରିହାର୍ଯ୍ୟ ଉପାଦାନ । ଏହା ବ୍ୟତିରେକ ମନୁଷ୍ୟ ସମାଜ ତଥା ଜୀବଜଗତର ସୃଷ୍ଟି, ସ୍ଥିତି ଓ ଭବିଷ୍ୟତ କଳ୍ପନା କରାଯାଇପାରିବ ନାହିଁ । ଆମ୍ଭମାନଙ୍କୁ ଖାଦ୍ୟ, ବାସ ଯୋଗାଉଥିବା ମାଟି ମା’ର ସ୍ୱାସ୍ଥ୍ୟ ତେବେ ଦିନକୁ ଦିନ ଖରାପ୍ ହୋଇ ଚାଲିଛି । ନିଜ ସନ୍ତାନର ସ୍ୱାସ୍ଥ୍ୟର ଯତ୍ନ ନେବାଭଳି ମାଟି ମା’ର ସ୍ୱାସ୍ଥ୍ୟର ଯତ୍ନ ନେବା ପ୍ରତ୍ୟେକ ବ୍ୟକ୍ତିର ଦାୟିତ୍ୱ । ଏ ବିଷୟରେ ଆମ୍ଭେ ସମସ୍ତେ ଗଭୀରଭାବେ ସଚେତନ ଓ ସକ୍ରୀୟ ରହିଲେ ଆମ୍ଭର ଭବିଷ୍ୟତ ବଂଶଧର ସୁସ୍ଥ ରହିବେ ବୋଲି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ବକ୍ତବ୍ୟ ରଖିଥିଲେ । ବିଶ୍ୱ ମୃତିକା ଦିବସ ପାଳନ ଅବସରରେ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ବିଶ୍ୱ ମୃତିକା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ କୃଷକମାନଙ୍କୁ ଏହି ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା କୃଷି ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଜାଙ୍ଗ ଝୋଟ ଗବେଷଣା କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଗୋକୁଳ ବିହାରୀ ଦାସ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷ ଅନାମବଂଧୁ ଧଳ, ଜଜାଙ୍ଗ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ. ସୂର୍ଯ୍ୟ ନାରାୟଣ ମିଶ୍ର, ହାଇଦରାବାଦ ସ୍ଥିତ ଆନ୍ତର୍ଜାତୀକ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ. ଗଜାନନ ସାୱର ଗାଁଓକର, ଓଡିଶା କୃଷି ବିଶ୍ୱ ବିଦ୍ୟାଳୟର ବରିଷ୍ଟ କୃଷି ବିଜ୍ଞାନୀ ପ୍ରସନ୍ନ କୁମାର ସାମଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମୋହନ ପ୍ରସାଦ ଶର୍ମା, ସୂଚନା ଓ ଲୋକସଂପର୍କ ବିଭାଗର ଉପନିଦେ୍ର୍ଧଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କୃଷି ମାନସିକତା ରହିଲେ କୃଷି ଓ କୃଷକର ଉନ୍ନତୀ ହେବାସହ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ । ମାତ୍ରାଧିକ କୀଟନାଶକ ଓ ରାସାୟନିକ ସାରର ପ୍ରୟୋଗ ହେବାଦ୍ୱାରା ମାଟିର ସ୍ୱାସ୍ଥ୍ୟ ବିଷାକ୍ତ ହୋଇଯାଉଛି । ଫଳରେ ଆଗାମୀ ପିଢି ପାଇଁ ଏହା ଅନେକ ସମସ୍ୟା ସୃଷ୍ଟି କରିବ । ତାକ୍ରାଳିକ ଲାଭ ପାଇଁ ଅବିଚାରିତ ଭାବେ ମନୋମୁଖୀ ପ୍ରୟୋଗ ଦ୍ୱାରା ଆମ୍ଭେ ମାଟିର ସ୍ୱାସ୍ଥ୍ୟ ସହ ନିଜର ସ୍ୱାସ୍ଥ୍ୟ ମଧ୍ୟ ଖରାପ କରିଛି ବୋଲି କୃଷକମାନଙ୍କୁ ସଚେତନ କରାଇଥିଲେ । ଏ ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା ସକାଳ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଥିଲେ । ଏହି ଅବସରରେ ୧୫ ଜଣ ସଫଳ କୃଷକଙ୍କୁ ମୃତିକା କାର୍ଡ ବଂଟନ କରାଯାଇଥିଲା । ଏହି ଅବସରରେ କୃଷି ସମ୍ବନ୍ଧୀୟ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ପ୍ରକଳ୍ପର ଷ୍ଟଲ୍ ଗୁଡିକ ଖୋଲାଯାଇ କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା ।
Related Stories
November 2, 2024