ପୁରୀ ଟାଉନ ହଲ୍ ଠାରେ ଦୁଇଦିନିଆ ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ ଉଦଘାଟିତ ହୋଇଛି। ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ରାଜ୍ୟରେ ବସ୍ ମାଲିକଙ୍କର ଥିବା ବିଭିନ୍ନ ସମସ୍ୟା, ଯାତ୍ରୀ ପରିବହନକୁ ଅଧିକ ସୁଦୃଢ କରିବା, ଉପଯୁକ୍ତ ସେବା ଯୋଗାଇଦେବା ଭଳି ପ୍ରମୁଖ ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଯାତ୍ରୀ ଏବଂ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କିଭଳି ବସ ସେବାକୁ ଅଧିକରୁ ଅଧିକ ସୁଗମ କରିହେବ ସେନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପୁରୀକୁ ବହୁତ କମ୍ ଟ୍ରେନ୍ ଆସୁଥିବାରୁ ଯାତ୍ରୀ ଏବଂ ଭକ୍ତ ଯାତାୟତ ପାଇଁ ବସ୍ ଉପରେ ବିଶେଷତଃ ନିର୍ଭର କରିଥାନ୍ତି। ଏଣୁ ଭକ୍ତ ଓ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ପୁରୀରେ ଏକ ଅତ୍ୟାଧୁନିକ ବିଶ୍ବସ୍ତରୀୟ ବସ ଷ୍ଟାଣ୍ଡର ଆବଶ୍ୟକତା ଥିବା ସଂଘ ପକ୍ଷରୁ କୁହାଯାଇଛି। ସେହିପରି ପୁରୀକୁ ୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ, ବିଭିନ୍ନ ରାଜ୍ୟକୁ ସିଧାସଳଖ ବସ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ସଂଘ ଦାବି ରଖିଛି।
ଅନ୍ୟ ପକ୍ଷରେ ରାଜ୍ୟରେ ବସ୍ ଯାତ୍ରୀ ସେବାକୁ ଅଧିକ ସୁଦୃଢ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ବିଭିନ୍ନ ପଦକ୍ଷେପ ନେଉଥିବା କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ବସ ମାଲିକଙ୍କ ବିଭିନ୍ନ ସମସ୍ୟା ଓ ଦାବି ରାଜ୍ୟ ସରକାର କିଛି ମାତ୍ରାରେ ପୂରଣ କରିଥିବା ବେଳେ ଅନ୍ୟ କିଛି ଦାବି ଆଲୋଚନା ଜରିଆରେ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପୁରୀକୁ ଅଧିକ ଯାତ୍ରୀ ବସ ଯୋଗେ ଆସୁଥିବାରୁ ଏଠାରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆଉ ଏକ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ସରକାର ଯୋଜନା ରଖିଥିବା କହିଛନ୍ତି ମନ୍ତ୍ରୀ। ସେପଟେ ମାଳତୀପାଟପୁର ବସଷ୍ଟାଣ୍ଡ ଭଳି ଆଉ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ଆଗାମୀ ଦିନରେ ସରକାର ନିର୍ମାଣ କରିବା ପାଇଁ ଯୋଜନା ରଖିଛନ୍ତି।
ରାଜ୍ୟସ୍ତରୀୟ ବସ ମାଲିକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ଲୋକନାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ।