କେନ୍ଦୁଝର, କେନ୍ଦୁଝରଗଡ଼ ମ୍ୟୁନିସିପାଲଟି ଅଂଚଳରେ କେତେକ ପୋଖରୀ ସମ୍ପ୍ରତି ଅବହେଳିତ ତଥା ପରିତ୍ୟକ୍ତ ଅବସ୍ଥାରେ ପଡିରହିଅଛି । ସେଥିପ୍ରତି ମ୍ୟୁନିସପାଲଟି କର୍ତୁପକ୍ଷଙ୍କ ଦୃଷ୍ଟି ପଡିବା ନିହାତି ଦରକାର । ସହର ମଧ୍ୟରେ ୧୩ ନମ୍ବର ୱାର୍ଡ ତଥା ମନୋଜମଞ୍ଜରୀ ଶିଶୁ ଭବନ ପାର୍ଶ୍ଵରେ ତଥା କନଭେଂଟ ସ୍କୁଲ ପଛପଟେ ରହିଥିବା ରାଜାଙ୍କ ସମୟର ପୋଖରୀ, ଡି.ଆର.ଡି.ଏ. ଅଫିସ ସମ୍ମୁଖ ପୋଖରୀ, ଶିରିପୁର ପୋଖରୀ, ସାମନ୍ତରାପୁର ଶାସନ ପୋଖରୀ ଆଦି ଏକାଧିକ ପୋଖରି ଆଜି ବି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ତେଣୁ ସେଗୁଡିକର ପୁନରୁଦ୍ଧାର ସହ ସୋନ୍ଦର୍ଯ୍ୟକରଣର କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ରହିଅଛି ।
କେନ୍ଦୁଝରରେ ଜଳସଙ୍କଟ ଲାଗି ରହିଥିବା ବେଳେ ଏଭଳି ପରସ୍ଥିତିରେ ପୋଖରୀଗୁଡିକର ପୁନରୁଦ୍ଧାର ଜରୁରୀ ହୋଇପଡିଛି । ତେବେ କେତେକ ସ୍ଥାନରେ ପୋଖରୀ ପୋତି ଏହା ଉପରେ ଗୃହ ନିର୍ମାଣ କରାଗଲାଣି ତ ଆଉ କେତେକ ସ୍ଥାନରେ ପୋଖରୀ ପୋତାଯିବାର ଉଦ୍ୟମ ଆରମ୍ଭ ହୋଇଛି । ରକ୍ଷଣାବେକ୍ଷଣା, ପଙ୍କୋଦ୍ଧାର ଓ ସଫେଇ ଅଭାବରୁ ଏସବୁ ପୋଖରୀ କ୍ରମଶଃ ବ୍ୟବହାର ଅନୁପଯୋଗୀ ହେବା ଏବଂ ପୋତିହୋଇପଡିବା ସହ ସଙ୍କୁଚିତ ହେବାରେ ଲାଗିଛି । ଏ ଦିଗରେ କେନ୍ଦୁଝରଗଡ଼ ମ୍ୟୁନିସପାଲଟି କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ଲାଗି ବିଭିନ୍ନ ମହଲରୁ ଦାବୀ ଉଠିଛି । ଅନୁରୁପ ଭାବେ ଜିଲ୍ଲାପାଳ ଲୋକଙ୍କ ସମୁହ ସ୍ଵାର୍ଥ ଦୃଷ୍ଟିରୁ ଏ ଦିଗରେ କେନ୍ଦୁଝରଗଡ଼ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ଅର୍ଥ ଡିଏମ ଫଣ୍ଡରୁ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପୈାରବାସୀ ଆଶା ରଖିଛନ୍ତି । ଏବଂ ମ୍ୟୁନିସିପାଲଟିର ନିର୍ବାଚିତ ପ୍ରତିନିଧିମାନଙ୍କର ମଧ୍ୟ ଏ ଦିଗରେ ସେମାନଙ୍କର ରହିଥିବା ଦାୟିତ୍ଵବୋଧକୁ ଉପଯୋଗ କରିବେ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।