ମାଲକାନଗିରି,ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଇନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ତରଫରୁ ଜିଲ୍ଲା ସ୍ତରୀୟ ଯୁବ ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ଉପ- ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ଯୋଗଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ବାଲିମେଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜାତୀୟ ସେବା ଯୋଜନାର ଅବସର ପ୍ରାପ୍ତ ଜିଲ୍ଲା ଅଧିକାରୀ ନମିତା ଦଣ୍ଡସେନା, ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ଶଙ୍କର ବେହେରା, କାର୍ଯ୍ୟରତ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ସରୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରୁ ୧୦୦ ଜଣ ସ୍ଵେଛାସେବୀଙ୍କ ସହିତ ଆଠ ଜଣ ଏନଏସଏସ ପିଓ ଉପସ୍ଥିତ ଥିଲେ ।
ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଶ୍ରୀ ଖେମୁଡୁ ଛାତ୍ର ଛାତ୍ରୀ ମାନଙ୍କୁ ମାନବିକତା, ମାନସିକତା ଓ ଦୃଢ ଆତ୍ମବଳ ଉପରେ ଅଭିଭାଷଣ ପ୍ରଦାନ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ ଆଧାରିତ ଦୀର୍ଘ ଏକ ଘଣ୍ଟା ବ୍ୟାପୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଅମୂଲ୍ୟ ପ୍ରଧାନ ଜାତୀୟ ସେବା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କର ଭୂମିକା ତଥା ସେବା ମନଭାବ କ୍ଷେତ୍ରରେ ଦୃଢ ସଂକଳ୍ପ ନେଇ ରାଷ୍ଟ୍ର ଗଠନରେ ସହାୟକ ହେବା ନିମନ୍ତେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ନମୀତା ଦଣ୍ଡସେନା ଜାତୀୟ ସେବାର ଉଦ୍ଦେଶ୍ୟ ଏବଂ ନୀତି ନିୟମ ସମ୍ବନ୍ଧରେ ଅଭିଭାଷଣ ଦେବା ସହିତ ନେତୃତ୍ଵ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରୀ ସରୋଜ ମହାପାତ୍ର ମଧ୍ୟ ଜାତୀୟ ସେବା ଯୋଜନାର ମହତ୍ତ୍ଵ ଓ ଏବଂ ଉଦ୍ଦେଶ୍ୟ ଉପରେ ସୁନ୍ଦର ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମେତ ଛାତ୍ରଛାତ୍ରୀ ମାନଙ୍କୁ ମିଶାଇ ପାଖାପାଖି୧୫୦ ଜଣ ଉପସ୍ଥିତ ଥିଲେ।