-
ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡର ରାଜ୍ୟପାଳ
ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଓ ଲଦାଖର ଉପ ରାଜ୍ୟପାଳ ରାଧାକୃଷ୍ଣ ମାଥୁରଙ୍କ ଇସ୍ତଫା ପତ୍ର ସ୍ୱୀକାର କରିବା ସହ ୧୩ ରାଜ୍ୟର ନୂଆ ରାଜ୍ୟପାଳ ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରୀ କରାଯାଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ଏହି ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଓ ଲଦାଖର ଉପ ରାଜ୍ୟପାଳ ରାଧାକୃଷ୍ଣ ମାଥୁରଙ୍କ ଇସ୍ତଫା ପତ୍ର ସ୍ୱୀକାର କରି ନେଇଛନ୍ତି । ଝାରଖଣ୍ଡର ରାଜ୍ୟପାଳ ଦାୟିତ୍ୱରେ ଥିବା ରମେଶ ବୈସଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସିପି ରାଧାକୃଷ୍ଣନଙ୍କୁ ଝାରଖଣ୍ଡର ରାଜ୍ଯପାଳ ଭାବେ ନିଯୁକ୍ତି ଦିଆଯାଇଛି । ଲେଫ୍ଟିନେଂଟ ଜେନେରାଲ କୈବଲ୍ୟ ତ୍ରିବିକ୍ରିମ ପରନାଏକଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ସିକିମ, ଶିବ ପ୍ରସାଦ ଶୁକ୍ଲଙ୍କୁ ହିମାଚଳ ପ୍ରଦେଶ ଓ ଗୁଲାବ ଚନ୍ଦ କଟାରିଆଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ରାଷ୍ଟ୍ରପତି ଜଷ୍ଟିସ (ସେବା ନିବୃତ୍ତ) ଏସ ଅବଦୁଲ ନଜୀରଙ୍କୁ ଆନ୍ଧ୍ର ପ୍ରଦେଶ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ, ଛତିଶଗଡର ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ମଣିପୁରର ରାଜ୍ୟପାଳ ଲା ଗଣେଶନଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ବିହାରର ରାଜ୍ୟପାଳ ଫଗୁ ଚୌହାନଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବ୍ରିଗେଡିୟର (ସେବା ନିବୃତ୍ତ) ବିଡି ମିଶ୍ରଙ୍କୁ ଲଦାଖର ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ନିଯକ୍ତି ତାଙ୍କର ସଂପୃକ୍ତ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବାର ଦିନରୁ ଲାଗୁ ହେବ ।