ସୁବର୍ଣ୍ଣପୁର, ରାଜ୍ୟରେ କୃଷି ଓ କୃଷକଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରିବା ଉପରେ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ସ୍ଥାନୀୟ ସହରର ରୟାଲପଡିଆ ଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହିମେଳା ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର କୃଷକ ଓ ଜନସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ରହିବ। ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ନାରାୟଣ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅର୍ଥ, ସଂସଦୀୟ ବ୍ୟାପାର ଏବଂ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗଦେଇ କୃଷି ଓକୃଷକ ଆମ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ଅଭିହିତ କରିବା ସହ ରାଜ୍ୟର ଗୌରବ ସହ ଅର୍ଥନୈତିକ ବିକାଶରେ ବିଶେଷ ସହାୟକ ହୋଇଛନ୍ତି ତଥାପି ଆମକୁ ଚାଷସହିତ ଅନ୍ୟାନ୍ୟ କୃଷି ସମ୍ବନ୍ଧିତ କ୍ଷେତ୍ରରେ ଯୋଗଦାନ ଦେଇ ଗ୍ରାମୀଣ ଅର୍ଥନୈତିକ ବିକାଶ ବୃଦ୍ଧିରେ ଯୋଡ଼ି ହେବାକୁ ପରାମର୍ଶ ଦେଇଥିଲେ।
ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଯୋଗଦେଇ ଚାଷର ରୁପାନ୍ତରଣ ଓ ପରିବର୍ତିତ ଉପରେ ଗୁରୁତ୍ଵାରୋପ କରି ଏହା ଜିଲ୍ଲା କୃଷିର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ। ପୁନଶ୍ଚ ଜିଲ୍ଲାର କୃଷକବନ୍ଧୁ ଅର୍ଥକାରୀ ଫସଲ ଉପରେ ଆଗ୍ରହ ପ୍ରକାଶ କରିବାକୁ ଆହ୍ଵାନ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ନିଶିପୁନମ ମିଞ୍ଜ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଉତ୍ତରାଞ୍ଚଳ କୃଷି ଅଧିକ୍ଷଣ ଯନ୍ତ୍ରୀ ପୃଥିରାଜ ମହାନ୍ତି ସାଂପ୍ରତିକ ସ୍ଥିତିରେ କୃଷି ଓ କୃଷକଙ୍କ ପାଇଁ ସରକାରଙ୍କର କୃଷି ଯନ୍ତ୍ରପାତି ଉପରେ ପ୍ରଦାନ କରାଯାଉଥିବା ରିହାତି, ବର୍ତ୍ତମାନ କୃଷି କ୍ଷେତ୍ରରେ ଆବଶ୍ୟକତା ଥିବା ନୂତନ ବୈଷୟିକ ଯନ୍ତ୍ରପାତିର ଆବଶ୍ୟକତା ଉପରେ ବହୁ ଉପାଦେୟ ସୂଚନା ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ପ୍ରାରମ୍ଭରେ କୃଷି ମେଳାକୁ ଉଦଘାଟନ କରି ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଜିଲ୍ଲା କୃଷି ବିଭାଗ ତରଫରୁ ରିହାତି ଦରରେ ପ୍ରଦାନ କରାଯାଇଥିବା କୃଷି ସମ୍ପୃକ୍ତ ଯନ୍ତ୍ରପାତି ସହାୟତା ଭୈରବୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଚରଦା, ଲକ୍ଷ୍ମୀପ୍ରିୟା ଏସ୍ ଏଚ୍ ଜି ଚେରୁପାଲି, ଜନନୀ ଶକ୍ତି ବଡ଼କର୍ଲେ, ମା ମହାଲକ୍ଷ୍ମୀ କାଦୋଦର, ମା ଘଣ୍ଟେଶ୍ଵରୀ ଝାରତରଭା, ମା ଲକ୍ଷ୍ମୀ ସୋନପୁର, ବାବା ଚମ୍ପେଶ୍ଵର ବୀରମହାରାଜପୁର, ବଜରଙ୍ଗ ବଲୀ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ମାନପତ୍ର ପ୍ରଦାନ କରାଯାଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ସ୍ମୀତା ପଣ୍ଡା ସଂଯୋଜନା କରିଥିଲେ ।