ମାଲକାନଗିରି,ସାହିତ୍ୟ ଓ ସଂସ୍କୃତିର ଉତଥାନ ଓ ମାନବିକତାର ସମ୍ମାନର ମନ୍ତ୍ର ନେଇ ମାଲକାନଗିରି ଜିଲ୍ଲାର ୨୧୪ ବଙ୍ଗାଲି ଗ୍ରାମକୁ ୧୧ ଗୋଟି ଜୋନରେ ବିଭକ୍ତ କରି ପ୍ରତିଷ୍ଠା କରାଯାଇଥିବା ମାଲକାନଗିରି ବାଙ୍ଗାଲି ସମାଜ (ଏମ.ବି.ଏସ)ର ଜିଲ୍ଲା ସଭାପତି ଗୌରାଙ୍ଗ କର୍ମକାରଙ୍କ ଅଧକ୍ଷତାରେ ଗତକାଲି ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ମାଲକାନଗିରି ସଦର ମହକୁମା ଏମ.ଭି – ୩ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମାଲକାନଗିରି ସହରର ବହୁ ସଂଖ୍ୟକ ଜନସାଧାରଣ ଯୋଗଦାନ କରିଥିଲେ। ସର୍ବସମ୍ମତି କ୍ରମେ ଏମ.ବି.ଏସ. ର ଆଉ ଗୋଟିଏ ଶାଖା ମାଲକାନଗିରି ସଦର ୟୁନିଟ୍ ନାମରେ ଗଠନ କରାଯାଇଥିଲା। ଏମ.ବି.ଏସ.ର ଏହି ସଦର ୟୁନିଟ ଗଠନର ଉଦ୍ଦେଶ୍ୟ ଥିଲା, ଜିଲ୍ଲାରେ ବସବାସ କରୁଥିବା ସମସ୍ତ ବଙ୍ଗଳା ଭାଷାଭାଷୀ ଲୋକଙ୍କର ମାତୃଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ଅଭିବୃଦ୍ଧି । ଏଠାରେ ଥିବା ସମସ୍ତ ବଙ୍ଗଳା ଭାଷାଭାଷୀ ଲୋକଙ୍କର ସମ୍ବିଧାନ ସ୍ବୀକୃତ ସମସ୍ତ ମୌଳିକ ଅଧିକାରର ସୁରକ୍ଷା, ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସବୁ ସମ୍ପ୍ରଦାୟ ସହିତ ଉତ୍ତମ ସମ୍ପର୍କ ଓ ଭାଇଚାରା ବଜାୟ ରଖିବା। ଏଥିସହିତ ସବୁ କ୍ଷେତ୍ରରେ ସମସ୍ତଙ୍କ ସହିତ ସବୁ ବିଷୟରେ ସାହାଯ୍ୟ ସହଯୋଗିତାର ହାତ ବଢ଼ାଇବା ଏବଂ ବିଶେଷ ଭାବରେ ଆଦିବାସୀ ଭାଇଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ସୃଷ୍ଟି କରିବା ସହିତ ସେମାନଙ୍କ ମଧ୍ୟରେ ସ୍ଥାନୀୟ ବେଙ୍ଗଲୀ ଲୋକ ମାନଙ୍କ ବିଷୟରେ ଥିବା ବିଭିନ୍ନ ଭୁଲ ଧାରଣା ଗୁଡିକ ଦୂର କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବା ଆଦି ବିଷୟରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଜିଲ୍ଲାରେ ବସବାସ କରୁଥିବା ସମସ୍ତ ଭାଷାଭାଷୀ ଲୋକଙ୍କର ଉନ୍ନତି ପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ସହିତ ହାତରେ ହାତ, କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢ଼ିବା ହିଁ ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସମସ୍ତ କର୍ମକର୍ତ୍ତାମାନେ ସ୍ପଷ୍ଟ କରିଥିଲେ।
ପରିଶେଷରେ, ସର୍ବସମ୍ମତି କ୍ରମେ ସଦର ୟୁନିଟର ସଭାପତି ଭାବରେ ଦିଲିପ ଦାସ ଏବଂ ସମ୍ପାଦକ ଭାବରେ କିଶୋର ଚନ୍ଦ୍ର ସିକଦାର, କୋଷାଧ୍ୟକ୍ଷ ଭାବରେ ଦେବବ୍ରତ କର୍ମକାର, ଉପ ସଭାପତି ଭାବରେ ଶଙ୍କର ପାଲ, ବୀରମୋହନ ଅଧିକାରୀ ଏବଂ ସହ ସଂପାଦକ ଭାବରେ ସୃଷ୍ଟିଧର ହାଲଦାର ତଥା ଶ୍ରୀଦାମ ଗାଇନଙ୍କୁ ଜିଲ୍ଲା କମିଟିର ପଦାଧିକାରୀମାନେ ମାଲ୍ୟାର୍ପଣ ଓ କରତାଳି ମାଧ୍ୟମରେ ମନୋନୀତ କରିଥିଲେ। ଶେଷରେ ଜିଲ୍ଲା ସମ୍ପାଦକ ନିହାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।