ଭୁବନେଶ୍ୱର, ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଯେ ଚାଉଳ ଜୀବନର ଶସ୍ୟ । ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା । ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି ।
ସେ ଆହୁରି କହିଛନ୍ତି, ଯୁବ ବୈଜ୍ଞାନିକ, ବିଶେଷ କରି ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି । ବିଭିନ୍ନ ପୂଜାପର୍ବାଣୀରେ ଧାନର ଭୂମିକା ଅନସ୍ୱୀକାର୍ଯ୍ୟ । ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି । ଇକୋଫ୍ରେଣ୍ଡଲି ଉପାୟରେ ଧାନ ଉତ୍ପାଦନ କରୁଥିବାରୁ କୃଷି ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ବୋଲି ସେ କହିଛନ୍ତି ।
ଏଥିରେ ଉଦବୋଧନ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି, କୃଷି ଓ କୃଷକଙ୍କର ବିକାଶଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ନିରନ୍ତର ଚେଷ୍ଟା ଚଳାଇଛି । ଭାରତ ସାରା ବିଶ୍ୱରେ ଧାନ ଉତ୍ପାଦନରେ ପ୍ରଥମ ହୋଇଛି । ପିଏମ୍ କିସାନ ସମ୍ମାନ ନିଧି ପ୍ରଚଳନ କରି କେନ୍ଦ୍ର ସରକାର ଏଯାଏ ସାଢ଼େ ୧୧ କୋଟି କୃଷକଙ୍କୁ ୨.୨୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ବି ଉପସ୍ଥିତ ଥିଲେ ।