ଭୁବନେଶ୍ୱର,ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ପୂଜାର୍ଚନା କରିବା ବେଳେ ତାଙ୍କ ଝିଅ ମଧ୍ୟ ତାଙ୍କ ସହ ଥିଲେ । ଲିଙ୍ଗରାଜ ମନ୍ଦିର ଦର୍ଶନ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ଆଜି ସକାଳୁ ରାଷ୍ଟ୍ରପତି ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଂଚି ଥିଲେ । ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି । ବିନ୍ଦୁସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଂଚି ଥିଲେ ।
ମିଳିଥିବା ସୂଚନା ଅନୁସାରେ ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ତାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହରେ ଜଳାଭିଷେକ କରିଥିଲେ । ତାପରେ ସେ ମା ପାର୍ବତୀଙ୍କୁ ଦର୍ଶନ କରିଥିଲେ । ଏହାପରେ ମନ୍ଦିବେଢ଼ା ପରିକ୍ରମା କରିଥିଲେ । ଶେଷରେ ନନ୍ଦୀଭୃଙ୍ଗୀଙ୍କ ଦର୍ଶନ କରି ସେଠାରୁ ବାହାରିଥିଲେ । ମନ୍ଦିର ସମ୍ମୁଖରେ ତାଙ୍କୁ ସ୍ୱାଗତ କରିବା ଲାଗି ଆଦିବାସୀ ନୃତ୍ୟ ଓ ବାଦ୍ୟର ଆସର ଜମିଥିଲା । କିଛି ସମୟ ପାଇଁ ରାଷ୍ଟ୍ରପତି ସେମାନଙ୍କ ପାଖରେ ଅଟକିଥିଲେ । ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି କାର୍ଯ୍ୟକ୍ରମ ସମୟରେ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ନିଜେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ବି ଉପସ୍ଥିତ ରହି ସୁରକ୍ଷା ଓ ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ ।