-
ଆଜି ଅଭିଯୁକ୍ତ ଗୋପାଳର ନାର୍କୋ ଆନାଲିସିସ ଟେଷ୍ଟ
ଝାରସୁଗୁଡ଼ା, ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ତୃତିୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଓ ତାର ବିଭିନ୍ନ ଟେଷ୍ଟ ଜାରୀ ରଖିଛି କ୍ରାଇମବ୍ରାଂଚ । ଗତକାଲି ଗୁଜୁରାଟର ଗାନ୍ଧୀନଗରରେ ଥିବା ଫରେନସିକ୍ ସାଇନ୍ସ ଲାବରେଟୋରିରେ ଗୋପାଳର ପଲିଗ୍ରାଫ ପରୀକ୍ଷା କରାଯାଇଥିଲା । ଆଜି ନାର୍କୋ ଆନାଲିସିସ ଟେଷ୍ଟ କରାଯିବ । ଗୋପାଳର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏହି ପରୀକ୍ଷା କରାଯିବ । ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ଵରେ ଏକ ୮ ଜଣିଆ ଟିମ୍ ଏହି ପରୀକ୍ଷା କରୁଛନ୍ତି । କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ନାର୍କୋ ଓ ପଲିଗ୍ରାଫ ଟେଷ୍ଟକୁ ଅନୁଧ୍ୟାନ କରୁଛନ୍ତି ।
ଏହା ପୂର୍ବରୁ ଗୋପାଳର ଲେୟାର୍ଡ ଭଏସ ଆନାଲିସିସ୍ ଟେଷ୍ଟ ଏବଂ ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟ କରାଯାଇଛି । କ୍ରାଇମ୍ ସିନ୍ ରିକ୍ରିଏସନ୍ ସରିଛି । ତାର ଆର୍ଥିକ କାରବାର, ବ୍ୟାଙ୍କ ଆକାଉଂଟ, ମିଳିଥିବା କାର୍ ଓ ବିଭିନ୍ନ ଲିଙ୍କ୍ ବାବଦରେ ତଦନ୍ତ ହୋଇଛି । ହେଲେ ହତ୍ୟାକାଣ୍ଡର ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଏହା ପଛରେ ଆଉ କିଏ ରହିଛି ସେନେଇ ଖୋଳତାଡ଼ ଜାରୀ ରଖିଛି କ୍ରାଇମବ୍ରାଂଚ ।
ପ୍ରକାଶ ଥାଉକି, ଗତ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା ।