ସାଲେପୁର, ରାଜ୍ୟ ସରକାର ମିଶନ ଶକ୍ତି ନାଁରେ କିଭଳି ଭାବରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ହାତ ବାରିଶି କରି ନିର୍ବାଚନ ରଣାଙ୍ଗନ ପାରି ହେଉଛନ୍ତି ପରବର୍ତ୍ତୀ ସମୟରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ କିଭଳି ଦିଗହରା ହୋଇପଡିଛି ତାହା ଏବେ ମାହାଙ୍ଗା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜଣାପଡିଛି ଯେ ରାଜ୍ୟରେ ମୋଟ ୫ଲକ୍ଷ ୨୭ ହଜାର ୩୮ ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ରହିଥିଲା ବେଳେ ମିଶନ ଶକ୍ତି ୨୦୦୧ ମସିହାରୁ ଆରମ୍ଭ ହୋଇଛି । ଡିସେମ୍ବର ୩, ୨୦୨୨ରିଖରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତିକରଣ କରାଯାଇଥିବା ସରକାର କହୁଥିଲା ବେଳେ ବାସ୍ତବରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡିକ ଗ୍ରାମାଂଚଳରେ ଠିକ୍ ଭାବେ କାର୍ଯ୍ୟ କରୁଛନ୍ତି ତ ! ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡିକ ମଧ୍ୟରୁ ଅଧିକାଂଶ ଗୋଷ୍ଠୀ ଖୋଲାଯାଇଛି ହେଲେ କାମ କରୁନି । ଠିକ୍ ଭାବେ ବ୍ୟାଙ୍କରେ ମାସିକ ଅର୍ଥ ଜମା ହେଉନି । କେଉଁଠି ସଂପାଦକ ବ୍ୟାଙ୍କରେ ଅର୍ଥ ଜମା ନକରି ଆତ୍ମସାତ୍ କଲାଣି ତ ଅନ୍ୟ କେଉଁଠି ବ୍ୟାଙ୍କ ଋଣ ଟଙ୍କା ବାଣ୍ଟି ନେବାକୁ ନେଇ ମହିଳାଙ୍କ ମଧ୍ୟରେ ଝଗଡା ଲାଗିଲାଣି । କେତେକ ମହିଳା ଏସ୍ ଏଚ୍ ଜି ଗ୍ରୁପ ଋଣ ନେଇ ସୁଝୁ ନାହାଁନ୍ତି । ଅଧିକାଂଶ ଗ୍ରୁପ୍ ଭାଙ୍ଗିଗଲାଣି । ମହିଳା ଗ୍ରୁପରେ ମହିଳାଙ୍କ ଅପେକ୍ଷା ସ୍ଵାମୀମାନଙ୍କର ରାଜନୀତି ଅଧିକ ବଢୁଛି । ରାଜ୍ୟ ସରକାର ସ୍ଵଚ୍ଛ ଭାରତ ଯୋଜନାରେ ପାଇଖାନା ଅର୍ଥ ପ୍ରଦାନ ଦାୟିତ୍ଵ ମହିଳା ଗୋଷ୍ଠୀଙ୍କୁ ଦେଇଥିଲେ । ଭିତରେ ଯାହା ହରିଲୁଟ୍ ହୋଇଛି ତାହା ନକହିବା ଭଲ । ନାଁ ହେଉଛି ମହିଳା ଗୋଷ୍ଠୀଙ୍କର, କାମ ହେଉଛି ପଞ୍ଚାୟତସ୍ତରୀୟ ଦଳୀୟ ନେତାଙ୍କର । ମାହାଙ୍ଗା ବ୍ଲକରେ ୨୬୬୫ ଟି ଗ୍ରୁପ୍ ରହିଛି । ସରକାର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ମୋବାଇଲ କିଣିବାକୁ ୩ ହଜାର ଟଙ୍କା ଲେଖାଏଁ ଦେଇଥିଲେ । ବଜାରରେ ବଡ ମୋବାଇଲ ସେଟ୍ ୭ ହଜାର ଠାରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା ବେଳେ ୩ ହଜାର ଟଙ୍କାରେ ମୋବାଇଲ ସେଟ୍ ଗ୍ରୁପ ମହିଳାମାନେ ନକିଣି ବାଣ୍ଟି ନେଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଏସଏଚଜି ରହିଛି ହେଲେ ସେମାନଙ୍କୁ କୌଣସି ଧନ୍ଦାମୂଳକ ପ୍ରଶିକ୍ଷଣ ଦିଆଯାଉନାହିଁ । ବ୍ୟାଙ୍କରୁ ଋଣ ଆଣି ନିଜ ନିଜ ମଧ୍ୟରେ ବାଣ୍ଟି ନେଇ ପରବର୍ତ୍ତୀ ସମୟରେ ସୁଝୁଛନ୍ତି । ଏଣୁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ବିବାଦ ଦିନକୁ ଦିନ ବଢୁଥିବାରୁ ଗୋଷ୍ଠୀ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ଯାହା କେବଳ କାଗଜ କଲମରେ ଚାଲିଛି ବୋଲି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।