
ବଲାଣି, ବିଜେପି ପକ୍ଷରୁ ବଲାଣି ଖଣି ଫାଟକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଇଛି । ବିଜୁ ଠିକା ମଜଦୂର ସଂଘର କାର୍ଯ୍ୟକାରୀ ସଭାପତି କମଳାପତି ଯାଦବଙ୍କ ନେତୃତ୍ଵରେ ଶତାଧିକ ମହିଳା ଓ ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନ ଯୋଗୁଁ ବଲାଣି ଖଣିର ଡି-ଏରିଆ ଏବଂ ପାନପୋଷ କ୍ଷେତ୍ରରୁ ୬୦୦ ଟିପିଏଚକୁ ଲୌହ ପଥର ପରିବହନ ଦୀର୍ଘ ୪ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା । ବଲାଣି ଖଣିରେ କାର୍ଯ୍ୟରତ ଠିକା ଶ୍ରମିକ ବିଭିନ୍ନ ସୁବିଧାରୁ ବଂଚିତ ହେଉଥିବା ବେଳେ ଏ ନେଇ ବିଭିନ୍ନ ସମୟରେ ବିଜୁ ଠିକା ଶ୍ରମିକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଥିଲେ ସୁଦ୍ଧା ଦାବି ପୂରଣ ହେଉନଥିବାରୁ ସଂଘ ପକ୍ଷରୁ ବଲାଣି ଖଣି କତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଥିଲେ । ଦାବି ମଧ୍ୟରେ ଠିକା କର୍ମଚାରୀଙ୍କ ସହିତ ପରିବାର ସଦସ୍ୟଙ୍କୁ ବଲାଣି ଖଣି ତଥା ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ନିଃଶୁଳ୍କ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା, ଠିକା ଶ୍ରମିକଙ୍କୁ ରାତ୍ରିକାଳୀନ ଭତ୍ତା ପ୍ରଦାନ କରିବା, ସମସ୍ତ ଶ୍ରମିକ ସଂଗଠନକୁ ଠିକା କର୍ମଚାରୀ ନିଯୁକ୍ତିରେ ଦିଆଯାଉଥିବା ଅଗ୍ରାଧିକାର ରେ ବିଜୁ ଠିକା ଶ୍ରମିକ ସଂଘକୁ ସାମିଲ କରିବା, ଠିକା କର୍ମଚାରୀଙ୍କୁ ବଲାଣି ଖଣି ପକ୍ଷରୁ କ୍ବାଟର୍ସ ପ୍ରଦାନ କରିବା ପ୍ରମୁଖ ଦାବି ରହିଥିଲା ।
ଏ ନେଇ ବଲାଣି ଖଣି ପକ୍ଷରୁ ଏକ ବୈଠକ ପାଇଁ ପ୍ରସ୍ତାବ ଆସିବା ପରେ ଏକ ୬ ଜଣିଆ ଦଳ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀ ଚଟ୍ଟୋପାଧ୍ୟାୟ ବିଭିନ୍ନ ଦାବି ସହିତ ବଲାଣି ଖଣିରେ ଠିକା ଶ୍ରମିକ ନିଯୁକ୍ତିରେ ବିଜୁ ଠିକା ମଜଦୂର ସଂଘକୁ ଅଗ୍ରାଧିକାର ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା ।