ଭୁବନେଶ୍ୱର, ଆଠଗଡ଼ ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ଗିରଫ ୬ ବନ କର୍ମଚାରୀ ନିଲମ୍ବିତ ହେବେ । ଏହି ସୂଚନା ଦେଇଛନ୍ତି ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଦେବୀଦତ୍ତ ବିଶ୍ୱାଳ ।
ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଂଟା ମଧ୍ୟରେ ସେମାନଙ୍କୁ ନିଲମ୍ବନ କରାଯିବ । ରେଞ୍ଜରଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତ ବନ କର୍ମଚାରୀଙ୍କୁ ଡି ଏଫ ଓ଼ ନିଲମ୍ବନ କରିବେ । ରେଞ୍ଜରଙ୍କ ନିଲମ୍ବନ ପାଇଁ ବନ ବିଭାଗ ମୁଖ୍ୟାଳୟକୁ ଡିଏଫଓ ସୁପାରିଶ କରିବେ ।
ହାତୀ ଦାନ୍ତ ରାକେଟ ମାମଲାରେ ଅଟକ ଥିବା ବେଳେ ମୃତ୍ୟୁ ହୋଇଥିବା ଧନେଶ୍ୱରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି । ତଦନ୍ତ ଚାଲିଥିବା ମାମଲାରେ ତାର ସମ୍ପୃକ୍ତି ଥିଲା ନା ନାହିଁ ଅନ୍ୟ ଅଧିକାରୀ ତଦନ୍ତ କରିବେ ବୋଲି ସେ କହିଛନ୍ତି ।