ଭୁବନେଶ୍ୱର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଓଡିଶା ହାଇକୋର୍ଟ ଖାରଜ କରି ଦେଇଛନ୍ତି । ବର୍ତ୍ତମାନ ୧୧ ଦିନ ହେବ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଚାଲିଛି । ଏଥିପାଇଁ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି କହି ବଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ନବ କିଶୋର ଦାସ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ । ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଗତ ୬ ତାରିଖରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।
ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶଙ୍କ ତରଫରୁ ଏହି ମାମଲା ଦାୟର କରାଯାଇଥିଲା । ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ମହାନିର୍ଦେଶକ, କ୍ରାଇମବ୍ରାଂଚକୁ ପକ୍ଷଭୁକ୍ତ କରାଯାଇଥିଲା ।