ସାଲେପୁର, ସାଲେପୁରକୁ ଏନଏସି ଘୋଷଣା ନେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଲେପୁରକୁ ଏନ୍.ଏ.ସି. ମାନ୍ୟତା ଦେବା ପାଇଁ ତତ୍ପରତା ପ୍ରକାଶ ପାଇଛି । ଯାହାକୁ ନେଇ ସାଲେପୁର ବ୍ଲକ ସମ୍ମିଳନୀ କକ୍ଷରେ ତିନିଗୋଟି ପଂଚାୟତର ଲୋକପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ବାଲିସାହି, ଚନ୍ଦ୍ରାଦେଇପୁର ଓ ବାରିଗୋଳ ପଂଚାୟତର ଲୋକପ୍ରତିନିଧିମାନେ ସାଲେପୁର ଏନ୍.ଏ.ସି. ହେବା ନେଇ ସେମାନଙ୍କର କୌଣସି ଆପତ୍ତି ନଥିବା ସରକାରଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । ତେବେ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କରଙ୍କ ଅଧ୍ୟକ୍ଷତାରେ ଏହି ତିନିଟି ପଂଚାୟତର ସରପଂଚ, ସମିତିସଭ୍ୟ, ଜିଲ୍ଲାପରିଷଦ ଓ ୱାର୍ଡ ସଭ୍ୟସଭ୍ୟାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟକ୍ତିଗତ ଭାବେ ସମସ୍ତ ଲୋକପ୍ରତିନିଧିମାନଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ସାଲେପୁରକୁ ଏନ୍.ଏ.ସି.ର ମାନ୍ୟତା ଦେଲେ ବ୍ୟକ୍ତିଗତ ଭାବେ ସେମାନଙ୍କର କୌଣସି ଅପତ୍ତି ଅଭିଯୋଗ ଅଛି କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସମସ୍ତ ଲୋକପ୍ରତିନିଧିମାନେ ସେମାନଙ୍କର କୌଣସି ଆପତ୍ତି ନଥିବା ଏବଂ ଖୁବ୍ ଶୀଘ୍ର ସାଲେପୁରକୁ ଏନ୍.ଏ.ସି. ମାନ୍ୟତା ଦେବା ପାଇଁ ସେମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଯାଇଥିବା କହିଥିଲେ । ଜିଲ୍ଲା ପ୍ରଶାସନ ସ୍ତରୀୟ ବୈଠକ ପରେ ସାଲେପୁର ଅଂଚଳ ଖୁବ୍ ଶୀଘ୍ର ଏନ୍ ଏସି ଘୋଷିତ ହୋଇଥିବା ସ୍ପଷ୍ଟ ହୋଇଛି । ଅପରପକ୍ଷରେ ୧୯୮୯ ମସିହାରୁ ସାଲେପୁର ଅଂଚଳକୁ ଏନ୍.ଏ.ସି. ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ କରାଯାଇଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ଏହି ମାନ୍ୟତା ମିଳିପାରିନାହିଁ । ଏନେଇ ସାଲେପୁର ଅଂଚଳର ବିକାଶ ପରିଷଦ ଅଧ୍ୟକ୍ଷ ନନ୍ଦକିଶୋର ଭୂୟାଁ, ସାଲେପୁର ଅଂଚଳକୁ ଏନ୍.ଏ.ସି. ଦାବିରେ ୨୦୧୬ ମସିହାରେ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା କରିଥିବା ବେଳେ ସାଲେପୁର ବିଧାୟକଙ୍କ ଉଦ୍ୟମ ଯୋଗୁ ସାଲେପୁର ଖୁବ୍ ଶୀଘ୍ର ଏନ୍.ଏ.ସି. ମାନ୍ୟତା ପାଇବାକୁ ଯାଉଥିବାର ବୈଠକରେ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।
ଉକ୍ତ ବୈଠକରେ ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ରାଉତ, ୪୬ ନମ୍ବର ଜିଲ୍ଲାପରିଷଦ ସଭ୍ୟା ନମିତା ସେଠୀ, ବାଲିସାହି ସରପଂଚ ପବିତ୍ର ସାମଲ, ଚନ୍ଦ୍ରାଦେଇପୁର ସରପଂଚ ରଶ୍ମିତା ଦାସ, ବାରିଗୋଳ ସରପଂଚ ଶିବପ୍ରସାଦ ବେହେରା, ବାଲିସାହି ସମିତିସଭ୍ୟା ଗୌତମୀ ମଳିକ, ଚନ୍ଦ୍ରଦେଇପୁର ସମିତିସଭ୍ୟା ପୁଷ୍ପିତା ଭୂୟାଁ, ବାରିଗୋଳ ସମିତିସଭ୍ୟା ତ୍ରିପୁରା ବେହେରାଙ୍କ ସମେତ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଓ ୩୯ ଜଣ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।