ମାଲକାନଗିରି,କାଲିମେଳା ଜିଲ୍ଲା କୃଷି କାର୍ଯ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା କୃଷି ସଂପ୍ରସାରଣ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭେନ୍ଦୁ ବିଶ୍ଵାସ, ଜଳ ବିଭାଜିକା ମିଶନର ଟିମ୍ ଲିଡର ନିହାର ରଂଜନ ଜେନା, ସହକାରୀ କୃଷି ଅଧିକାରୀ ସୁକାନ୍ତି ବାକା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୌର ଜଳନିଧି ଯୋଜନା, ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଜନା, ଧାଡ଼ିରୁଆ ଧାନ ପଦ୍ଧତି ଓ ଚିନାବାଦାମ ଚାଷ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ମୋ ପୋଖରୀ ଯୋଜନା, ଓଡ଼ିଶା ମିଲେଟ ମିଶନ ଭଳି ଯୋଜନା ସଂପର୍କରେ କାଲିମେଳା ବ୍ଲକର ସମସ୍ତ ପଞ୍ଚାୟତରୁ ଆସିଥିବା କୃଷି ମିତ୍ର, ପ୍ରାଣୀ ମିତ୍ର, ଏମ୍ କେ, ସି ଆର୍ ପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ତାଲିମ ଦିଆଯାଇଥିଲା । ଏମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ଏହି ଯୋଜନା ଗୁଡ଼ିକ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇବେ ବୋଲି ପରାମର୍ଶ ପ୍ରଦାନ କରାଯାଇଥିଲା ।
ଏହି ତାଲିମ ଶିବିରକୁ ଗ୍ରାମ କୃଷି କର୍ମଚାରୀ ଆଶିଷ ସାମଲ, ପ୍ରବୀଣ ଦାସ, କ୍ରିଷ୍ଣା ବିଶୋଇ, ଉଦୟ ଶବର, ଦେବେନ୍ଦ୍ର କୁମାର ଜେନା, ବଂଶୀଧର ମାଣ୍ଡାଙ୍ଗି ଓ ଇନ୍ଦ୍ର ମାଡକାମୀ ପ୍ରମୁଖ ପରିଚାଳନା କରିଥିଲେ।