-
ଆଜି କ୍ରାଇମ ସିନ ରିକ୍ରିଏସନ
ଝାରସୁଗୁଡ଼ା, ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ଅଭିଯୁକ୍ତ ଗୋପାଳ ଦାସକୁ ଦ୍ଵିତୀୟ ଥର ପାଇଁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଜାରୀ ରଖିଛି ଟିମ୍ । ଆଜି ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନ ତଥା ତଦନ୍ତର ଦଶମ ଦିନରେ ଅଭିଯୁକ୍ତ ଗୋପାଳ ଦାସକୁ ଘଟଣାସ୍ଥଳ (ବ୍ରଜରାଜନଗର ଗାନ୍ଧି ଛକ)କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଂଚ । ସେପଟେ ମାମଲାର ଅଧିକ ତଦନ୍ତ ପାଇଁ ଝାରସୁଗୁଡ଼ାରେ ପହଂଚିଛନ୍ତି ୪ ଜଣିଆ ନିନହାନସ ଟିମ୍ । ଏହି ଟିମ୍ ଗୋପାଳଙ୍କ ସ୍ଵାସ୍ଥ୍ୟର ଯାଂଚ୍ କରିବ । ଆସନ୍ତାକାଲି ସରିବ ଗୋପାଳର ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ।
ପ୍ରଥମ ୪ ଦିନିଆ ରିମାଣ୍ଡ ସମୟରେ ଅଭିଯୁକ୍ତ ଗୋପାଳ ନିକଟରୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିଥିଲା କ୍ରାଇମବ୍ରାଂଚ । ସେହିପରି ଦ୍ଵିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡ ବେଳେ ଲେୟାର୍ଡ ଭଏସ ଆନାଲିସିସ୍ ଟେଷ୍ଟ ଓ ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟ କରାଯାଇଛି । ତାର ଆର୍ଥିକ କାରବାର, ବ୍ୟାଙ୍କ ଆକାଉଂଟ, ମିଳିଥିବା କାର୍ ଓ ବିଭିନ୍ନ ଲିଙ୍କ୍ ବାବଦରେ ତଦନ୍ତ ହୋଇଛି । ଗୋପାଳ ଓ ତାର ପରିବାର ଲୋକଙ୍କ ସମେତ ଇତିମଧ୍ୟରେ ୨୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ପଚରା ଉଚରା କରିଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ ମାମଲାର ତଦନ୍ତ ଜାରୀ ରହିଛି । ହତ୍ୟାକାଣ୍ଡର ଉଦ୍ଦେଶ୍ୟ କ’ଣ ଥିଲା, ଏହା ପଛରେ ଆଉ କେହି ରହିଛି କି, ଆଦି ପ୍ରଶ୍ନର ଉତର ଖୋଜୁଛି କ୍ରାଇମବ୍ରାଂଚ ।
ପ୍ରକାଶ ଥାଉକି, ଗତ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା ।