-
ଦ୍ଵିତୀୟ ଦିନରେ ବନ କର୍ମଚାରୀଙ୍କୁ ପଚରା ଉଚରା ଜାରୀ
ଆଠଗଡ଼, ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତ କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ୫୯ ବର୍ଷିୟ ଧନେଶ୍ଵର ବେହେରାଙ୍କ ମୃତ୍ୟୁ ଅଭିଯୋଗ ମାମଲାରେ ଅଟକ ବନ କର୍ମଚାରୀଙ୍କୁ ଆଜି ଦ୍ଵିତୀୟ ଦିନରେ ପୋଲିସର ଜେରା ଜାରୀ ରହିଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ଓ କଟକ ଗ୍ରାମାଚଂଳ ଅତିରିକ୍ତ ଏସପି କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତକାଲି ସେମାନଙ୍କୁ ଜେରା କରାଯାଇଥିଲା । ଘଟଣାରେ ଆଠଗଡ଼ ପୋଲିସ ଆଠଗଡ଼ ବନଖଣ୍ଡର ଦୁଇ ଏସିଏଫ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୧୪ ଜଣ ବନ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ଅଭିଯୁକ୍ତଙ୍କ ବିରୋଧରେ ୩୦୨, ୪୦୧ ସହିତ ଅନ୍ୟାନ୍ୟ ଦଫାରେ ବଡ଼ମ୍ବା ଥାନାରେ ମାମଲା ରୁଜ୍ଜୁ ହୋଇଛି ।
ପ୍ରକାଶ ଥାଉକି, ହାତୀ ଶିକାର କରିବା ଓ ଦାନ୍ତ କାଟିବା ଅଭିଯୋଗରେ ଗତ ୫ ତାରିଖରେ ବଡ଼ମ୍ବା ରେଞ୍ଜ ର ବନକର୍ମଚାରୀମାନେ ଧନେଶ୍ଵରଙ୍କୁ ଘରୁ ଉଠାଇ ନେଇଥିଲେ । ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ଧନେଶ୍ଵରଙ୍କୁ ପଚରାଉଚରା କରାଯାଉଥିଲା । ତେବେ ଗତକାଲି ଭୋରରୁ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଧନେଶ୍ଵରଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡର ଦାଗ ରହିଛି । ଯାହାକୁ ନେଇ ଧନେଶ୍ଵରଙ୍କୁ ବନ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗତକାଲି ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାର ପ୍ରତିବାଦରେ ସାତଗୋଛିଆ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ବାରସିଂହ ନିକଟରେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରାଯାଇଥିଲା । ଉତ୍ୟେକ୍ତ ଲୋକେ ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ । ତେବେ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡର ଦାଗ ରହିଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଧନେଶ୍ଵରଙ୍କ ମୃତ୍ୟୁ କିପରି ଘଟିଲା ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖରେ ବଡ଼ମ୍ବା ରେଞ୍ଜ୍ ମାଣିଆବନ୍ଧ ବିଟ୍ ଅଧିନ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା ।