ଭୁବନେଶ୍ୱର ,ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ, ଓଡ଼ିଶା କୋଲ୍ ଆଣ୍ଡ ପାୱର ଲିମିଟେଡ଼୍ କୋଇଲା ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ ଉଲଘଂନ କରିଛନ୍ତି । ଏହି ସର୍ତରେ ଥିଲା ଯେ, କେହି ମନୋହରପୁର, ଦୀପ ମନୋହରପୁର ରୁ ନେଉଥିବା କୋଇଲାର ବ୍ୟବସାୟିକ ବ୍ୟବହାର କରିବେ ନାହିଁ ଓ ଏ ସମସ୍ତ କୋଇଲା ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ କମ୍ ରଖିବା ପାଇଁ ବ୍ୟବହୃତ ହେବ । କିନ୍ତୁ ଦେଖାଯାଉଛି କୋଇଲା ଟନ୍ ପିଛା ୪୫୦ ଟଙ୍କାରେ ଉତୋଳନ କରି ୭୫୮ ଟଙ୍କାରେ ବିକ୍ରି କରାଯାଉଛି ଓ ସେଥିରୁ ଲାଭାଂଶ ନିଜ କମ୍ପାନୀ ଭିତରେ ଓ ସରକାରଙ୍କ ସହିତ ଭାଗ କରି ନିଆଯାଉଛି । ଏ ସମ୍ପର୍କୀତ ସମସ୍ତ ତଥ୍ୟ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ ଉପସ୍ଥାପନ କରିଛନ୍ତି । ଶ୍ରୀ କାନୁନ୍ଗୋ ଅଭିଯୋଗ କରିଥିଲେ ଯେ, ସରକାର ଓ ଓ.ଇ.ଆର.ସି. ର ଜ୍ଞାତସାରରେ ଏସବୁ କାର୍ଯ୍ୟ ହୋଇଛି । ଯଦି ଚୁକ୍ତି ଅନୁସାରେ ହୋଇଥାନ୍ତା ତେବେ ଉପଭୋକ୍ତାଙ୍କ ୟୁନିଟ୍ ପିଛା ୫୦ ରୁ ୫୭ ପଇସା କମ୍ ଆଦାୟ ହୋଇଥାନ୍ତା । ସାଧାରଣ ଓ ଗରୀବ ଉପଭୋକ୍ତାଙ୍କ ଠାରୁ ପଇସା ଆଣି ବଡ଼ ଲୋକଙ୍କ ପାଖରେ ଠୁଳ କରିବା ନିମନ୍ତେ ସରକାର ପୁଣି ଏକ ଉଦ୍ୟମ ଆରମ୍ଭ କରିଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ । ଓ.ପି.ଜି.ସି.ର ୨୫ ପ୍ରତିଶତ ଅଂଶଧନ ବିକ୍ରୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅର୍ଥାତ ଏଥିରୁ ମିଳିବା ଲାଭାଂଶ ସେମାନଙ୍କ ମଧ୍ୟରେ ବଂଟାଯିବ । ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଘୋର ବିରୋଧ କରେ । କୌଣସି ଘରୋଇ ବେପାରୀକୁ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଲାଭ ଉଠାଇବା ପାଇଁ ନ ଦେବାକୁ ଦାବୀ କରିଛନ୍ତି । ରାଜ୍ୟର କୋଇଲା ବ୍ୟବହାର କରି ଓ.ପି.ଜି.ସି ପାଖାପାଖି ୯୭୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ତୁରନ୍ତ କମାଯାଉ । ଓ.ଇି.ଆର.ସି. ଏହାର ତଦନ୍ତ କରି ଦର ଧାର୍ଯ୍ୟବେଳେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବୀ କରିଛି । ସମସ୍ତ ଉତ୍ପାଦନ ଓ ଏହାର ଖର୍ଚ୍ଚ ଉପରେ ରାଜ୍ୟ ଏଜି ସମସ୍ତ ହିସାବ ଏବଂ ସର୍ତ ଅନୁସାରେ ଦର ନିଶ୍ଚୟ କରିବା ସଂପର୍କରେ ଚୁଡ଼ାନ୍ତ ନିଷ୍ପତି ନ ନେବା ପର୍ଯ୍ୟନ୍ତ ଓ.ପି.ଜି.ସି.ର ଅଂଶଧନ ବିକ୍ରୀ ବନ୍ଦ କରାଯାଉ ବୋଲି ଦାବୀ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ କିଶୋର ଜେନା ଓ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।