ମାଲକାନଗିରି,ମାଲକାନଗିରି ଜିଲ୍ଲାର ସାତଟି ବ୍ଲକରେ ଥିବା ବହୁ ପାହାଡିଆ ନଦୀ ଏବଂ ଝରଣା ଦ୍ବାରା ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ସେହି ନଦୀଗୁଡିକରେ ବ୍ରିଜ ନଥିବାରୁ ଲୋକେ ଯାତାୟତ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ସହ ଜିଲ୍ଲା ପ୍ରଶାସନ ସହ ଲୋକ ପ୍ରତିନିଧିମାନଙ୍କୁ ବ୍ରିଜ ପାଇଁ ଦାବି କରିଆସୁଥିଲେ ମଧ୍ୟ ଏହାର ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି। ଏଭଳି ଏକ ନଦୀ ହେଉଛି ଶଗଡଗାଡ ନଦୀ। କାଲିମେଳା ବ୍ଲକର କୋତାଗୁଡା ଗ୍ରାମରେ ରହିଥିବା ଏହି ନଦୀରେ ବର୍ଷା ଦିନ ହେଲେ ବହୁତ ପାଣି ଭରି ରହିବା ସହ ଦୀର୍ଘ ଦିନ ଧରି ଶୁଖିନଥାଏ, ଯାହାଫଳରେ ପ୍ରାୟ ୧୦ଟି ଗ୍ରାମର ଲୋକେ ଏହି ନଦୀକୁ ପାର କରିପାରନ୍ତି ନାହିଁ। ଏଥିସହ ନିଜର ଗାଇଗୋରୁ ଏବଂ ଛେଳିମେଣ୍ଢାକୁ ଚରାଇବା ପାଇଁ ଏହି ନଦୀ ପାର କରି ଜଙ୍ଗଲ ଯିବାକୁ ପଡିଥାଏ। ଲୋକେ ତାହା ମଧ୍ୟ କରିପାରନ୍ତି ନାହିଁ। ଏହି ନଦୀ ପାର ହୋଇ ପ୍ରତିଦିନ ଏମଭି-୭୦, କୋତାଗୁଡା, ମାରିଗୁଡା, କୁରୁବ, ବଡିଗେଟା, ଟେକଗୁଡା, ଟେକଗୁଡା କଲୋନି ଭଳି ବହୁ ଗ୍ରାମର ଲୋକେ ଯିବାଆସିବା କରନ୍ତି। ଗ୍ରାମବାସୀ ବହୁ ଥର ଏହି ନଦୀର ଫଟୋ ଉଠାଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ତଥା ସାଂସଦ ଏବଂ ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ହେଲା ଲୋକେ ବହୁ କଷ୍ଟ ଭୋଗୁଥିଲେ ମଧ୍ୟ କେହି ଶୁଣୁନଥିବାରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଚେତବନୀ ଦେଇଛନ୍ତି।
ସବୁଠାରୁ ବିପଦପୂର୍ଣ୍ଣ ଭାବେ ଲୋକେ ବର୍ଷାଦିନେ ନଦୀ ପାର ହେଉଥିବା କହନ୍ତି। ବହୁ ଥର ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟିଛି। ନଦୀ ପାର କରି ଛେଳିମେଣ୍ଢାଙ୍କୁ ନଦୀ ପାର କରାଯାଉଥିବା ବେଳେ ନଦୀରେ ଭାସିଯାଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ନଦୀ ପାର କଲାପରେ ବହୁ ଚାଷୀଙ୍କ ଜମି ରହିଥିବାରୁ ନିୟମିତ ଚାଷ ଜମିକୁ ଯିବାକୁ ପଡିଥାଏ। ତେବେ ବର୍ଷାଦିନେ ଯାଇ ହେଉନଥିବା ଲୋକେ କହିଛନ୍ତି।ତେଣୁ ଏହି ନଦୀରେ ଏକ ବ୍ରିଜ ନିର୍ମାଣ କଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।