
-
ଦୁଇ ଏସିଏଫ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀ ଥାନାରେ ଅଟକ
-
ଗ୍ରାମବାସୀଙ୍କ ପକ୍ଷରୁ ରାଜପଥ ଅବରୋଧ
-
ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା, ପୋଡ଼ାଜଳା
ଆଠଗଡ଼, ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ୫୯ ବର୍ଷିୟ ଧନେଶ୍ଵର ବେହେରା । ଘଟଣାରେ ଆଠଗଡ଼ ପୋଲିସ ଆଠଗଡ଼ ବନଖଣ୍ଡର ଦୁଇ ଏସିଏଫ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ଘଟଣାରେ ଉତ୍ୟେକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି । ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଠାରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରୀ ରହିଛି ।
ହାତୀ ଶିକାର କରିବା ଓ ଦାନ୍ତ କାଟିବା ଅଭିଯୋଗରେ ଗତକାଲି ବଡ଼ମ୍ବା ରେଞ୍ଜ ର ବନକର୍ମଚାରୀମାନେ ଧନେଶ୍ଵରଙ୍କୁ ଘରୁ ଉଠାଇ ନେଇଥିଲେ । ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ଧନେଶ୍ଵରଙ୍କୁ ପଚରାଉଚରା କରାଯାଉଥିଲା । ତେବେ ଆଜି ଭୋରରୁ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ଆଠଗଡ଼ ପୁଲିସ୍ ଆଠଗଡ଼ ବନଖଣ୍ଡର ଦୁଇ ଏସିଏଫ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୭ ବନ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଆଠଗଡ଼ ଏସଡିପିଓ ଏବଂ କଟକ ଗ୍ରାମାଚଂଳ ଅତିରିକ୍ତ ଏସପି କୃଷ୍ଣପ୍ରସାଦ ପଟ୍ଟନାୟକ ସେମାନଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି । ତିଗିରିଆ ଓ ଆଠଗଡ଼ ଥାନା ଅଧିକାରୀ ସେଠାରେ ଉପସ୍ଥିତ ରହିଛନ୍ତି । ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ଥାନାରେ ପହଂଚି ତଦନ୍ତ କରୁଛନ୍ତି । ଅନ୍ୟପକ୍ଷରେ ଧନେଶ୍ଵରଙ୍କ ଶବ ଆଠଗଡ଼ ହସପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଧନେଶ୍ଵରଙ୍କୁ ବନ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ପ୍ରତିବାଦରେ ସାତଗୋଛିଆ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ବାରସିଂହ ନିକଟରେ ୬୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରାଯାଇଛି । ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।
ସେହିପରି ଘଟଣାରେ ଉତ୍ୟେକ୍ତ ଲୋକେ ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଠାରେ ନିଆଁ ଲଗାଇ ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ୨ ତାରିଖରେ ବଡ଼ମ୍ବା ରେଞ୍ଜ୍ ମାଣିଆବନ୍ଧ ବିଟ୍ ଅଧିନ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା ।