-
ଅଭିଯୁକ୍ତର ଲେୟାର୍ଡ ଭଏସ ଆନାଲିସିସ୍ ଟେଷ୍ଟ କରାଗଲା : ମାନସିକ ସ୍ଥିତି ପରୀକ୍ଷା ପାଇଁ ସ୍ଵତନ୍ତ୍ର ମେଡ଼ିକାଲ ବୋର୍ଡ଼ ଗଠନ
ଝାରସୁଗୁଡ଼ା, ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ଅଭିଯୁକ୍ତ ଗୋପାଳ ଦାସକୁ ଦ୍ଵିତୀୟ ଥର ପାଇଁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଜାରୀ ରଖିଛି ଟିମ୍ । ଅଭିଯୁକ୍ତ ଗୋପାଳ ସତ କହୁଛି କି ମିଛ କହୁଛି ସେନେଇ ଗତକାଲି ତାର ଲେୟାର୍ଡ ଭଏସ ଆନାଲିସିସ୍ ଟେଷ୍ଟ କରିଛି ଦିଲ୍ଲୀର ସେଂଟ୍ରାଲ ଫରେନସିକ ସାଇନ୍ସ ଲାବୋରୋଟାରୀ(ସିଏଫଏସଏଲ) ଟିମ୍ । ସେହିପରି ଅଭିଯୁକ୍ତର ମାନସିକ ସ୍ଥିତି ପରୀକ୍ଷା ପାଇଁ ସ୍ଵତନ୍ତ୍ର ମେଡ଼ିକାଲ ବୋର୍ଡ଼ ଗଠନ ହୋଇଛି । ଏହି ଟିମ୍ ରେ ୫ରୁ ୬ ଜଣ ବଛାବଛା ଡାକ୍ତର ରହିଛନ୍ତି । ଦ୍ଵିତିୟ ରାଉଣ୍ଡ ରିମାଣ୍ଡର ପ୍ରଥମ ଦିନରେ ଆଜି ଝାରସୁଗୁଡ଼ାରେ ଅଭିଯୁକ୍ତ ଗୋପାଳକୁ ପଚରା ଉଚରା କରୁଛନ୍ତି କଟକ ଏସସିବିର ୪ ଜଣିଆ ମନସ୍ତତ୍ଵବିତ ଟିମ୍ ।
ଅନ୍ୟପକ୍ଷରେ ଗୋପାଳ ଯାହାଠାରୁ କାର୍ କିଣିଛି । ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ ମଧ୍ୟ ପଚରା ଉଚରା କରିପାରେ କ୍ରାଇମବ୍ରାଂଚ । ସେହିପରି ବ୍ରହ୍ମପୁରରେ ଅଭିଯୁକ୍ତର ଆର୍ଥିକ କାରବାର ନେଇ ତଥ୍ୟ, ପ୍ରମାଣ ଯୋଗାଡ଼ କରୁଛି କ୍ରାଇମବ୍ରାଂଚ ।
ପୂର୍ବରୁ ୪ ଦିନିଆ ରିମାଣ୍ଡ ସମୟ ମଧ୍ୟରେ କ୍ରାଇମବ୍ରାଂଚ ଅଭିଯୁକ୍ତ ଗୋପାଳ ନିକଟରୁ ଅନେକ ତଥ୍ୟ ହାସଲ କରିଛି । ଜେରା ବେଳେ ଗୋପାଳ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ଵୀକାର କରିଥିଲେ ସୁଦ୍ଧା ସେ ବୟାନ ବଦଳାଉଥିବା ଜଣାପଡିଛି । ଅନ୍ୟପକ୍ଷରେ ହତ୍ୟାକାଣ୍ଡର ଉଦ୍ଦେଶ୍ୟ କ’ଣ ଥିଲା, ଏହା ପଛରେ ଆଉ କେହି ରହିଛି କି, ଆଦି ପ୍ରଶ୍ନର ଉତର ଖୋଜୁଛି କ୍ରାଇମବ୍ରାଂଚ । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ତିନୋଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି । ତଦନ୍ତର ତଦାରଖ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସ ।
ପୂର୍ବରୁ ଘଟଣାସ୍ଥଳରୁ ଜବତ ଗୁଳି, ଅଭିଯୁକ୍ତ ନିକଟରୁ ଜବତ ୯ ଏମଏମ ପିସ୍ତଲ, ନବ ଦାସଙ୍କ ରକ୍ତ ଭିଜା ଡ୍ରେସ୍, ମେଡ଼ିକାଲ ରିପୋର୍ଟ ଓ ଭିସେରା ରିପୋର୍ଟକୁ ମଧ୍ୟ ଏସଏଫଏସଏଲକୁ ପଠାଯାଇଛି । ସେହିପରି ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପରିସରରେ ଥିବା ଲାଟିନ୍ ଟାଙ୍କିରୁ ମିଳିଥିବା ଗୋପାଳର ହାତଲେଖା କାଗଜ ଟୁକୁଡ଼ାରୁ ମଧ୍ୟ କିଛି ତଥ୍ୟ ପାଇବା ଲକ୍ଷ୍ୟରେ ରହିଛି କ୍ରାଇମବ୍ରାଂଚ । ଇତିମଧ୍ୟରେ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳଙ୍କ ପରିବାର ବର୍ଗ, ସାଙ୍ଗସାଥୀ, ଚିକିତ୍ସା କରୁଥିବା ଡାକ୍ତର ଆଦିଙ୍କୁ ମିଶାଇ ପ୍ରାୟ ୨୦ରୁ ଅଧିକ ଜଣଙ୍କୁ ପଚରା ଉଚରା କରିସାରିଲାଣି କ୍ରାଇମବ୍ରାଂଚ ।
ପ୍ରକାଶ ଥାଉକି, ଗତ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା ।