ମାଲକାନଗିରି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପଡ଼ା ଗ୍ରାମକୁ ନୂତନ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ ଲାଗି ସୀମା ପରିବର୍ତ୍ତନ ପାଇଁ ଯାଇଥିବା ରାଜସ୍ଵ କର୍ମଚାରୀ ମାନେ ଆଦିବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।
ମାଲକାନଗିରି ଜିଲ୍ଲା କାଲିମେଳା ତହସିଲର ସଦର ରାଜସ୍ଵ ସର୍କଲର ଏମଭି-୭୦ ଏବଂ ଏମପିଭି-୩୭ ପଡ଼ା ଗ୍ରାମକୁ ସୀମା ପରିବର୍ତ୍ତନ ପାଇଁ କାଲିମେଳା ରାଜସ୍ଵ ନିରୀକ୍ଷକ ବଜା ମାଡକାମି, ସୁପରଭାଇଜର ରାମକୃଷ୍ଣ ପଟ୍ଟନାୟକ, ଅମିନ ଦିନେଶ ବିଶ୍ଵାସ କୁତମାନପାଲି ଗ୍ରାମରେ ପହଞ୍ଚି ଏ ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । କିନ୍ତୁ, ସ୍ଥାନୀୟ ଏକ ହଜାରରୁ ଉର୍ଦ୍ଧ ଆଦିବାସୀ ଲୋକ ରୁଣ୍ଡ ହୋଇ ଏହାକୁ ବିରୋଧ କରିଥିବା ସୂଚନା ମିଳିଛି । ଫଳରେ ସୀମା ପରିବର୍ତ୍ତନ କରିନପାରି ରାଜସ୍ବ କର୍ମଚାରୀମାନେ ସେଠାରୁ ଫେରି ଆସିଥିଲେ । ମାଲକାନଗିରି ଜିଲ୍ଲାର ମୂଳ ରାଜସ୍ବ ଗ୍ରାମର ସୀମା ପରିବର୍ତ୍ତନ କରି ପଡ଼ା ଗ୍ରାମକୁ ନୂତନ ରାଜସ୍ବ ଗ୍ରାମ ଭାବେ ଗ୍ରହଣ କରିବା ପ୍ରସ୍ତାବ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ସୂଚନା ମିଳିଛି। ଏହି କ୍ରମରେ କାଲିମେଳା ତହସିଲର ୯୫ରୁ ଉର୍ଦ୍ଧ ପଡ଼ା ଗ୍ରାମକୁ ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ । କାଲିମେଳା ତହସିଲର ୮ଟି ସର୍କଲ ମଧ୍ୟରୁ କାଲିମେଳାର ୮ଟି, ମାନ୍ୟମକୋଣ୍ଡାର ୩୨ଟି, କୋଈ ମେଟଲାର ୮ଟି, ମାଲାଭରମର ୮ଟି, ମହାରାଜପାଲିର ୪ଟି, କାଙ୍ଗୁରକୋଣ୍ଡାର ୧୭ଟି, ଭେଜାଙ୍ଗିୱାଡାର ୨୯ଟି ଏବଂ ଉଣ୍ଡୃକୋଣ୍ଡା ସର୍କଲର ୮ଟି ମୋଟ ୧୦୬ ଟି ମୂଳ ରାଜସ୍ବ ଗ୍ରାମ ରହିଅଛି । ମୂଳ ରାଜସ୍ବ ଗ୍ରାମ ଅଧିନରେ ଅନେକ ପଡ଼ା ଗ୍ରାମ ରହିଅଛି । ତେବେ ଯେଉଁ ପଡ଼ା ଗ୍ରାମରେ ୨୫୦ରୁ ଉର୍ଦ୍ଧ ଜନସଂଖ୍ୟା ରହିଛି, ସେହି ପଡ଼ା ଗ୍ରାମକୁ ନୂତନ ରାଜସ୍ବ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ତହସିଲ ସଦର କାଲିମେଳା ସର୍କଲରେ ୮ଟି ପୂରୁଣା ମୂଳ ରାଜସ୍ବ ଗ୍ରାମ ରହିଥିବା ବେଳେ ବର୍ତ୍ତମାନ ୧୨ଟି ନୂଆ ରାଜସ୍ବ ଗ୍ରାମ ଅନ୍ତର୍ଭୁକ୍ତ ହେବାକୁ ଯାଉଛି । ସେଗୁଡିକ ହେଲା, ଏମଭି-୯୦, ଏମଭି-୬୯, ଏମପିଭି-୩୧, ଏମପିଭି-୩୫, ଏମଭି-୭୦, ଏମପିଭି-୩୭, ଏମପିଭି-୨୭, ଆଦିବାସୀ କଲୋନୀ, ପୁଶୁଗୁଡା, ବଡୁଗୁଡା, ଆରଆରଓ କଲୋନୀ ଏବଂ ତୁମ୍ବାଗୁଡା ଗ୍ରାମ । ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ପୂର୍ବରୁ ଜିଲ୍ଲାର ବେଙ୍ଗଲୀ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ସେହି ସମୟରେ ଜିଲ୍ଲାର କେତେକ ଆଦିବାସୀ ସଂଗଠନ ଏହାକୁ ବିରୋଧ କରି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଜିଲ୍ଲାରେ ମୋଟ ୨୧୪ଟି ବେଙ୍ଗଲୀ ପଡ଼ାଗ୍ରାମ ରହିଥିବା ବେଳେ ସରକାର ଏବେ ବେଙ୍ଗଲୀ ପଡ଼ା ଗ୍ରାମ ସମେତ ଅନ୍ୟ ଆଦିବାସୀ ପଡ଼ା ଗ୍ରାମ ଗୁଡ଼ିକୁ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ ପାଇଁ ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ ରୁଲସ ୧୯୬୨ ନିୟମ ୬୧(୧) ଓ (୭) ମୁତାବକ ସୀମା ପରିବର୍ତ୍ତନ କରି ନୂତନ ରାଜସ୍ବ ଗ୍ରାମ ଗଠନ ପଦକ୍ଷେପ ନେଇଛନ୍ତି । ସୀମା ପରିବର୍ତ୍ତନ ଯୋଗୁଁ ଗୋଚର ଜମି, ଜଙ୍ଗଲ ଜମି, ପାହାଡ଼, ପର୍ବତ, ନଦୀ, ଝରଣା, ନାଳ ଆଦି ଅଲଗା ଅଲଗା ହେଲେ ଗାଈଗୋରୁ ଚରାଇବା, ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ, ଜାଳେଣି କାଠ ସଂଗ୍ରହ, ପାଣି ସଂଗ୍ରହ ସମୟରେ ସମସ୍ୟା ଉପୁଜିବ ବୋଲି ଅଭିଯୋଗ ହୋଇଥିଲା । ତାଛଡା ଚାଷ ଜମି ଅଲଗା ହେବା ଦ୍ଵାରା ରେକର୍ଡ ସଂଶୋଧନ, ଖଜଣା ପୈଠ, ଆଦିବାସୀ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ବିଶୃଙ୍ଖଳା, ମୂଳ ଓ ନୂତନ ରାଜସ୍ବ ଗ୍ରାମ ମଧ୍ୟରେ ସୁ ସଂପର୍କ ନଷ୍ଟ ଭଳି ଅନେକ ସମସ୍ୟା ହେବ ବୋଲି ମଧ୍ୟ ଅଭିଯୋଗ ହୋଇଛି। ତେଣୁ ସୀମା ପରିବର୍ତ୍ତନ କରି ନୂତନ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ ପଦକ୍ଷେପ ବନ୍ଦ କରାନଗଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଆଦିବାସୀ ମାନେ ଚେତାବନୀ ଦେଇଛନ୍ତି ।