ପୁରୀ, ମାଘ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଏହି ବେଶ ସମ୍ପନ୍ନ ହୋଇଛି । ରତ୍ନ ସିଂହାସନ ଉପରେ ଶ୍ରୀଜୀଉଙ୍କୁ ଏହି ବେଶ ଲାଗି କରାଯିବା ସହ କାଠ ଓ ଶୋଲ ନିର୍ମିତ ଦୁଇଟି ହାତୀ ଶ୍ରୀଜୀଉଙ୍କ ସମ୍ମୁଖରେ ରଖାଯାଇଛି । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।
ପୌରାଣିକ ତଥ୍ୟ ଅନୁଯାୟୀ, ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗଜରାଜ ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ । ଗଜରାଜର ପ୍ରାର୍ଥନାରେ ସ୍ଵୟଂ ପୁରୁଷୋତମ ତତକ୍ଷଣାତ ଭକ୍ତ ଗଜଙ୍କୁ କୁମ୍ଭୀର ଆକ୍ରମଣରୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରିଥିଲେ ଓ ଗଜରାଜଙ୍କୁ ଉଦ୍ଧାର କରିଥିଲେ । ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି ।
ଗଜଉଦ୍ଧାରଣ ବେଶ ଦି’ପହର ଧୂପ ସରିବା ପରେ ହୋଇ ସନ୍ଧ୍ୟାରେ ସାହାଣ ମେଲା ହେବା ଯାଏ ରହିଥାଏ । ଗଜ ଉଦ୍ଧାରଣ ବେଶର ବିଶେଷତ୍ଵ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ଵିଭୁଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀ ଜଗନ୍ନାଥ ଗରୁଡ଼ ଉପରେ ବସିଥିବା ପ୍ରଦର୍ଶିତ ହୋଇଥାଏ । ଉଡ୍ଡୟନରତ ଭଙ୍ଗୀରେ ଥିବା ଦୁଇଟି ପକ୍ଷ ବିଶିଷ୍ଟ ଗରୁଡ଼ ମୁଖ୍ୟତଃ କାଠ, ଶୋଲ ଏବଂ ଜରିରେ ନିର୍ମିତ ହୋଇଥାଏ । ପକ୍ଷ ବିସ୍ତାରି ଉଡୁଥିବା ଗରୁଡ଼ ପୃଷ୍ଠରେ ଜଗନ୍ନାଥ ପଦ୍ମାସନ ଭଙ୍ଗୀରେ ବସିଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ଵ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ (ବାମ ) ଓ ମୂଷଳ (ଦକ୍ଷିଣ ହସ୍ତରେ) ଧାରଣ କରିଥାନ୍ତି । ସୁଭଦ୍ରା ଦୁଇଭୁଜ ଓ ଦୁଇ ପଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଭଙ୍ଗୀରେ ଛିଡ଼ା ହୋଇଥାନ୍ତି । ଦେବୀଙ୍କ ହସ୍ତଦ୍ଵୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥାଏ ଏବଂ ସେ ଧରିଥାଆନ୍ତି ପଦ୍ମ କଳିକାଟିଏ । ଏହି ବେଶରେ କାଠ ଓ ଶୋଲ ନିର୍ମିତ ଦୁଇଟି ହସ୍ତୀ ପ୍ରତିମୂର୍ତି ବ୍ୟବହୃତ ହୋଇଥାଏ । ଗୋଟିଏ ହସ୍ତୀ ବଳଭଦ୍ରଙ୍କ ସମୀପରେ ରତ୍ନ ସିଂହାସନ ଆଗରେ ଏବଂ ଅନ୍ୟଟି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ରଖାଯାଇଥାଏ । ଜଗନ୍ନାଥଙ୍କ ସମ୍ମୁଖରେ ଥିବା ଗଜଟି ଆର୍ତ ହରଣ ପାଇଁ ଆକୁଳ ନିବେଦନ କରୁଥିବା ଭଙ୍ଗୀରେ ପ୍ରଦର୍ଶିତ ହୁଏ । ତା’ର ପାଦଗୁଡ଼ିକ ମଧ୍ୟରେ ଥାଏ ଆକ୍ରମଣରତ କୁମ୍ଭୀରର ପିତୁଳା ଏବଂ ହସ୍ତୀଟିର ଟେକି ହୋଇଥିବା ଶୁଣ୍ଢରେ ପ୍ରସ୍ଫୁଟିତ ପଦ୍ମଫୁଲ ଶୋଭା ପାଇଥାଏ ।
ଗଜଉଦ୍ଧାରଣ ବେଶରେ ତିନି ଠାକୁରଙ୍କ ମଥାରେ ଚୂଳ ଓ କିରୀଟ ସହ ସୁବର୍ଣ୍ଣ ନିର୍ମିତ ପଦ୍ମମାଳି, କଦମ୍ବମାଳି ପ୍ରଭୃତିରେ ଭୁଷିତ ହୋଇଥାନ୍ତି । ଏହି ବେଶ ସମୟତକ ରତ୍ନସିଂହାସନରେ ଶୋଭା ପାଉଥିବା ଲକ୍ଷ୍ମୀଙ୍କର ସୁବର୍ଣ୍ଣପ୍ରତିମାଙ୍କୁ ଜଗନ୍ନାଥଙ୍କ କୋଳରେ ରଖାଯାଏ । ଶ୍ରୀଜୀଉଙ୍କୁ କ୍ଷୀରି ଓ ଅମାଲୁ ସ୍ଵତନ୍ତ୍ର ଭୋଗ ରୂପେ ଅର୍ପିତ ହୋଇଥାଏ ।