-
ମହିମା ବିଚାରଧାରା ଓ ମହିମା ଗୋସାଇଙ୍କ ବାର୍ତ୍ତା ସମାଜ ପାଇଁ ଜୀବନାଦର୍ଶ- ଧର୍ମେନ୍ଦ୍ର ପ୍ରଧାନ
-
ମାଘ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ସାମିଲ ହେବା ସହ ଯୋରନ୍ଦା ମେଳା ଓ ଅଙ୍ଗାରବନ୍ଧ ଠାରେ ମାଘ ମେଳା ବୁଲିଲେ କେନ୍ଦ୍ରମନ୍ତ୍ରୀ
-
ମହିମା ସ୍ୱାମୀଙ୍କ କରୁଣା ଏବଂ ଉପସ୍ଥିତ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଲେ
-
ଶୂନ୍ୟବାଦର ପୂଣ୍ୟପୀଠ ଏବଂ ଶୂନ୍ୟବ୍ରହ୍ମଙ୍କ ଉପାସନାର ପବିତ୍ର ଭୂମି ଯୋରନ୍ଦାକୁ ଆସି ସୌଭାଗ୍ୟଶାଳୀ ମନେକରୁଛି କହିଲେ କେନ୍ଦ୍ରମନ୍ତ୍ରୀ
-
ମାଘ ମେଳା ମାଧ୍ୟମରେ ମହିମା ସମାଜର ମୂଲ୍ୟବାନ ବାର୍ତ୍ତା ଅଧିକ ବ୍ୟାପକ ହେବା ନେଇ କାମନା କଲେ
-
ଅଙ୍ଗାରବନ୍ଧ ଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗର ‘ଫଟୋଚିତ୍ର ପ୍ରଦର୍ଶନୀ’ର ଉଦଘାଟନ କଲେ
ଅନୁଗୋଳ/ଢେଙ୍କାନାଳ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢେଙ୍କାନାଳର ଯୋରନ୍ଦା ମେଳା ଓ ଅନୁଗୋଳ ଅଙ୍ଗାରବନ୍ଧ ସ୍ଥିତ ମହିମାଧାମରେ ଚାଲୁଥିବା ମାଘ ମେଳାରେ ସାମିଲ ହୋଇ ମହିମାଗାଦି ଦର୍ଶନ କରିବା ସହ ମହିମା ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଇଛନ୍ତି ।
ଶ୍ରୀ ପ୍ରଧାନ ପ୍ରଥମେ ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ଅଲେଖ ମହିମା ଧାମରେ ଚାଲିଥିବା ମାଘ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ଯୋରନ୍ଦା ମେଳାରେ ସାମିଲ ହୋଇଥିଲେ । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହିମା ବିଚାରଧାରା, ମହିମା ଗୋସାଇଁଙ୍କ ବାଣୀ, ସନ୍ଥକବି ଭୀମ ଭୋଇ ସାହିତ୍ୟ ମାଧ୍ୟମରେ ଦେଇଥିବା ମୂଲ୍ୟବାନ ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାର ଏହି ଅନନ୍ୟ ଲୋକ ପରମ୍ପରା ଆମ ସମସ୍ତଙ୍କ ପାଇଁ ଜୀବନ ଆଦର୍ଶ । ସମାଜରେ ଭାତୃଭାବକୁ ସୁଦୃଢ କରିବା, ଧର୍ମ ଓ ଆଧ୍ୟାତ୍ମିକ ପଥରେ ବିଶ୍ୱାସ କରିବା, ଶୂନ୍ୟ ଭଗବାନଙ୍କ ନିକଟରେ ଶରଣ ପଶିବା, ଇଶ୍ୱର ଶକ୍ତିଙ୍କ ପାଖରେ ସମର୍ପିତ ହେବା ଓ ସରଳ ଜୀବନଯାପନର ଏହି ପରମ୍ପରା ବିଶ୍ୱକୁ ସର୍ବୋପରି ମାର୍ଗଦର୍ଶନ ଦେଉ ।
ସେ ଆହୁରି କହିଛନ୍ତି ଶୂନ୍ୟବାଦର ପୂଣ୍ୟପୀଠ ଏବଂ ଶୂନ୍ୟବ୍ରହ୍ମଙ୍କ ଉପାସନାର ପବିତ୍ର ଭୂମି ଯୋରନ୍ଦାକୁ ଆସି ସୌଭାଗ୍ୟଶାଳୀ ମନେକରୁଛି । ଯୋରନ୍ଦା ମେଳା, ବିଶ୍ୱ କଲ୍ୟାଣ ପାଇଁ ପୂଜ୍ୟ ମହିମା ସାଧୁମାନଙ୍କ ଏକତା ଏବଂ ସମୂହ ପ୍ରାର୍ଥନା ମେଳା । ଯୋରନ୍ଦା ମେଳାକୁ ଆସି ମହିମା ସ୍ୱାମୀଙ୍କ କରୁଣା ଏବଂ ଉପସ୍ଥିତ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଲି । ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଅମୂଲ୍ୟ ବାର୍ତ୍ତା ଏବଂ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ ମାର୍ମିକ ସାହିତ୍ୟ ମାଧ୍ୟମରେ ଦେଇଥିବା ଜଗତ କଲ୍ୟାଣର ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ସମାଜର ନିଷ୍ପେସିତ, ବଞ୍ଚିତ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ମହିମା ସମାଜର ଆଧ୍ୟାତ୍ମିକ ଦୁନିଆ, ପରମ୍ପରା ତଥା ବ୍ୟବସ୍ଥା ସହ ଯୋଡ଼ି ହେଉଛନ୍ତି । ମାଘ ମେଳା ମାଧ୍ୟମରେ ମହିମା ସମାଜର ମୂଲ୍ୟବାନ ବାର୍ତ୍ତା ଅଧିକ ବ୍ୟାପକ ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।
ଉଲ୍ଲେଖନୀୟ ଯେ, ଅଙ୍ଗାରବନ୍ଧ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଆୟୋଜିତ ‘ଫଟୋଚିତ୍ର ପ୍ରଦର୍ଶନୀ’କୁ ଶ୍ରୀ ପ୍ରଧାନ ଉଦଘାଟନ କରିଥିଲେ । ଇତିହାସ ପୃଷ୍ଠାରେ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ ବର୍ଷର ଶାସନ କାଳରେ ହୋଇଥିବା ଜନକଲ୍ୟାଣକାରୀ ଯୋଜନା ଉପରେ ପ୍ରଦର୍ଶିତ ଏହି ଉଚ୍ଚକୋଟୀର ପ୍ରଦର୍ଶନୀକୁ ବିଶେଷ ଭାବରେ ଯୁବପିଢିମାନେ ଦେଖି ଅନୁପ୍ରାଣିତ ହେବେ ବୋଲି ଶ୍ରୀ ପ୍ରଧାନ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।