ଝାରସୁଗୁଡ଼ା, ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଜାରୀ ରଖିଛି କ୍ରାଇମବ୍ରାଂଚ । ଆଜି ରିମାଣ୍ଡର ଚତୁର୍ଥ ଦିନ ତଥା ଶେଷ ଦିନ । ଆବଶ୍ୟକ ପଡିଲେ ଆଉ ଅଧିକ ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଂଚ ।
ଏହି ୪ ଦିନିଆ ରିମାଣ୍ଡ ସମୟ ମଧ୍ୟରେ କ୍ରାଇମବ୍ରାଂଚ ଅଭିଯୁକ୍ତ ଗୋପାଳ ନିକଟରୁ ଅନେକ ତଥ୍ୟ ହାସଲ କରିଥିବା ବେଳେ ଆଜି ଆଉ କିଛି ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି କ୍ରାଇମବ୍ରାଂଚ । ଜେରା ବେଳେ ଗୋପାଳ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ଵୀକାର କରିଥିଲେ ସୁଦ୍ଧା ସେ ବୟାନ ବଦଳାଉଥିବା ଜଣାପଡିଛି । ଅନ୍ୟପକ୍ଷରେ ହତ୍ୟାକାଣ୍ଡର ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଂଚ । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ତିନୋଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି । ତଦନ୍ତର ତଦାରଖ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସ । କ୍ରାଇମବ୍ରାଂଚକୁ ତଦନ୍ତରେ ସହାୟତା କରିବା ପାଇଁ ଗତକାଲି ଝାରସୁଗୁଡ଼ାରେ ପହଂଚିଛି ଦିଲ୍ଲୀର ସେଂଟ୍ରାଲ ଫରେନସିକ ସାଇନ୍ସ ଲାବୋରୋଟାରୀ(ସିଏଫଏସଏଲ) ଟିମ୍ । ଅଭିଯୁକ୍ତ ଗୋପାଳର ଲେୟାର୍ଡ ଭଏସ ଟେଷ୍ଟ କରାଯିବ । ଗୋପାଳର ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟ ମଧ୍ୟ କରାଯିବ । ଲେୟାର୍ଡ ଭଏସ ଟେଷ୍ଟ ଦ୍ଵାରା ଗୋପାଳ କେତେ ସତ କହୁଛି, କେତେ ମିଛ କହୁଛି ତାହା ଧରାପଡିବ । ଏଥିରେ ଏକ ମେସିନ ଦ୍ଵାରା ଅଭିଯୁକ୍ତର ଭଏସର ଫ୍ରିକ୍ୱେନ୍ସିକୁ ମ୍ୟାଚ କରାଯାଏ । ଯାହାଦ୍ଵାରା କି, ସମ୍ପୃକ୍ତ ବ୍ୟକ୍ତି ମିଛ କହୁଛନ୍ତି କିମ୍ବା ସତ କହୁଛନ୍ତି ତାହା ଜଣାପଡେ । ସେହିପରି ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟରେ ସିଏଫଏସଏଲର ବରିଷ୍ଠ ସାଇଂଟିଫିକ୍ ଅଫିସର ଏବଂ ସାଇକୋଲୋଜିଷ୍ଟ ମାନେ ତାଙ୍କର ମାନସିକ ସ୍ଥିତି ନେଇ ପଚରା ଉଚରା କରିବେ । ଯାହାଦ୍ଵାରା ବର୍ତମାନ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି କିଭଳି ରହିଛି ତାହା ସ୍ପଷ୍ଟ ହେବ ।
ପୂର୍ବରୁ ଘଟଣାସ୍ଥଳରୁ ଜବତ ଗୁଳି, ଅଭିଯୁକ୍ତ ନିକଟରୁ ଜବତ ୯ ଏମଏମ ପିସ୍ତଲ, ନବ ଦାସଙ୍କ ରକ୍ତ ଭିଜା ଡ୍ରେସ୍, ମେଡ଼ିକାଲ ରିପୋର୍ଟ ଓ ଭିସେରା ରିପୋର୍ଟକୁ ମଧ୍ୟ ଏସଏଫଏସଏଲକୁ ପଠାଯାଇଛି । ସେହିପରି ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପରିସରରେ ଥିବା ଲାଟିନ୍ ଟାଙ୍କିରୁ ମିଳିଥିବା ଗୋପାଳର ହାତଲେଖା କାଗଜ ଟୁକୁଡ଼ାରୁ ମଧ୍ୟ କିଛି ତଥ୍ୟ ପାଇବା ଲକ୍ଷ୍ୟରେ ରହିଛି କ୍ରାଇମବ୍ରାଂଚ । ଇତିମଧ୍ୟରେ ଅଭିଯୁକ୍ତ ଗୋପାଳଙ୍କ ପରିବାର ବର୍ଗ, ସାଙ୍ଗସାଥୀ, ଚିକିତ୍ସା କରୁଥିବା ଡାକ୍ତର ଆଦିଙ୍କୁ ମିଶାଇ ପ୍ରାୟ ୨୦ରୁ ଅଧିକ ଜଣଙ୍କୁ ପଚରା ଉଚରା କରିସାରିଲାଣି କ୍ରାଇମବ୍ରାଂଚ ।
ପ୍ରକାଶ ଥାଉକି, ଗତ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା ।