ଘଟଗାଁ, କେନ୍ଦୁଝର ଜିଲ୍ଲା ସଦର ଉପଖଣ୍ଡ ଅନ୍ତର୍ଗତ ଘଟଗାଁ, ହରିଚନ୍ଦନପୁର, ପାଟଣା, ସଦର, ସାହାରପଡା, ବାଂଶପାଳ ଏବଂ ତେଲକୋଇ ଜଙ୍ଗଲ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ନିଷ୍କ୍ରିୟତା ଓ ଲାଭଖୋର ନୀତି ଯୋଗୁଁ ଜଙ୍ଗଲ ମାଫିଆମାନଙ୍କ ଦ୍ଵାରା ଦୈନିକ ସଂରକ୍ଷଣ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲରୁ ବର୍ଷବର୍ଷ ଧରି ବ୍ୟାପକ ଜଙ୍ଗଲ କଟା ଚାଲିଥିବା ଫଳରେ ଏହା ଏକ ମରୁଭୂମିରେ ପରିଣତ ହୋଇଯିବାର ଆଶଙ୍କା ରହିଛି ବୋଲି ଜନସାଧାରଣ ଓ ପରିବେଶ ବିଜ୍ଞାନୀ ତଥା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଜଙ୍ଗଲ ସୁରକ୍ଷା ଆଇନର ଭୂଲ ନୀତି ଯୋଗୁଁ ଉପରୋକ୍ତ ବ୍ଲକସ୍ଥିତ ଜଙ୍ଗଲରେ ବର୍ଷବର୍ଷ ଧରି ଗଛ କଟା ଯାଉଛି । ଯଦି ଜଙ୍ଗଲ ମାଫିଆମାନଙ୍କୁ ଆଇନ ଅନୁଯାୟୀ ଧରାଯାଉଛି ତେବେ ଏହି ଆଇନ ବଳରେ ଆସାମୀମାନେ ଅତିଶିଘ୍ର ଜାମିନୀ ପାଇ ଯାଉଛନ୍ତି । ଫଳରେ ସେମାନେ ପୁନର୍ବାର ଜଙ୍ଗଲରୁ ଗଛ କାଟି ଟ୍ରିପ ଟ୍ରିପ କାଠ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଯଦି ଏହାର କୌଣସି ପରିବର୍ତ୍ତନ କରାନଯାଏ ତେବେ ମାଫିଆମାନଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇ ଧିରେ ଧିରେ ଜିଲ୍ଲାର ସମସ୍ତ ଜଙ୍ଗଲ ଲୋପ ପାଇଯିବାର ଆଶଙ୍କା ରହିଥିବା ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି । ମାଫିଆମାନେ ବ୍ୟାପକ ଭାବେ ଜଙ୍ଗଲରୁ ଗଛ କାଟି ଚାଲିଥିବା ବେଳେ ଧରାପଡିଲେ ସେମାନେ ସହଜରେ କୋର୍ଟରୁ ଜାମିନ ପାଇ ପୁନର୍ବାର ଜଙ୍ଗଲରୁ ଗଛକଟା ଜାରି ରଖିଥିବାର ଅଭିଯୋଗ ହୋଇଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ଘଟଗାଁ, ହରିଚନ୍ଦନପୁର ବାଂଶପାଳ, ତେଲକୋଇ ବ୍ଲକ ଗୁଡିକ ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ପର୍ବତ ଜଙ୍ଗଲବେଷ୍ଟିତ ଅଞ୍ଚଳ । ଉଭୟ ବ୍ଲକମାନଙ୍କରେ ପ୍ରାୟ ୧୫ରୁ ୨୫ ହଜାର ହେକ୍ଟର ଜଙ୍ଗଲ । ଏହି ଜଙ୍ଗଲ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ଜଙ୍ଗଲ କର୍ମଚାରୀ ଯଥା ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଅଭାବ ଯୋଗୁଁ ଜଙ୍ଗଲରୁ ଗଛକଟା ଚୋରା ଚାଲାଣ ରୋକା ଯାଇପାରୁନଥିବା ବେଳେ କେତେକ ବିଭାଗୀୟ କର୍ତୁପକ୍ଷଙ୍କ ହାତରେ ଧରାପଡି ଗିରଫ ହେଉଥିଲେ ହେଁ ରାଜନୈତିକ ଚାପରେ କେତେକ ଖଲାସ ହୋଇଯାଉଥିବା ବେଳେ କେତେକ କୋର୍ଟରୁ ଖଲାସ ହେଉଛନ୍ତି । ଗତ ୫ ବର୍ଷ ମଧ୍ୟରେ ଘଟଗାଁ ରେଞ୍ଜ, ହରିଚନ୍ଦନପୁର ବ୍ରାହ୍ମଣୀପାଳ ରେଞ୍ଜରେ ବଣ ସଂରକ୍ଷିତ ଜଙ୍ଗଲ ଓ ତେଲକୋଇ ବାଂଶପାଳ ସଂରକ୍ଷିତ ଜଙ୍ଗଲ, ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୨୫୵୩୦ ହଜାର ଏକରରୁ ଉର୍ଦ୍ଧ୍ବ ଜଙ୍ଗଲ ମାଫିଆମାନଙ୍କ ଦ୍ଵାରା ନଷ୍ଟ ହେଲାଣି । ଅନ୍ୟପକ୍ଷରେ ଦିନରାତି ଜଙ୍ଗଲଜାତ ଔଷଧୀୟ ବୃକ୍ଷ ଓ ଖଣିଜ ପଦାର୍ଥ ଚୋରି ଚାଲିଛି । ଏହାକୁ ରୋକିବାକୁ ଯାଇ ଜାଳ କାଠୁରିଆମାନଙ୍କୁ ଧରିଆଣି ଜୋରିମାନା କାଟିବାରେ ବନ କର୍ମଚାରୀମାନେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ଏଣୁ ଜିଲ୍ଲାପାଳ ଜଙ୍ଗଲ ବିଭାଗ ଅଧିକାରୀ(ଡିଏଫଓ) ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।