
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ ଆନୁକୂଲ୍ୟରେ ଶ୍ରୀ ସଦାଶିବ ପରିସର ଦ୍ୱାରା ପୁରୀ ପୌରସଦନ ଠାରେ ତ୍ରିଦିବସୀୟ ଅଖିଳ ଭାରତୀୟ ରୂପକ ମହୋତ୍ସବ ମହର୍ଷୀ ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ,ଉଜ୍ଜୟନୀର ଉପସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ଶ୍ରୀ ସଦାଶିବ ପରିସରର ଅଧ୍ୟାୟୀମାନଙ୍କ ଦ୍ୱାରା ପରିବେଷିତ ହେବାକୁ ଥିବା ସମସ୍ତ ରୂପକର ସାରାଂଶକୁ ନେଇ ପୂର୍ବରଙ୍ଗ ପରିବେଷଣ କରାଯାଇଥିଲା |ତତ୍ପରେ କାଲିକଟ ଆଦର୍ଶ ସଂସ୍କୃତ ବିଦ୍ୟାପୀଠ, କେରଳର ଅଧ୍ୟାୟୀମାନଙ୍କ ଦ୍ୱାରା ବାଳଚରିତମ୍, ସନାତନ ଧର୍ମ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟ, ହିମାଚଳପ୍ରଦେଶ ଅଧ୍ୟାୟୀଙ୍କ ଦ୍ୱାରା ମହାବୀର ଚରିତମ୍, ଭୋପାଳ ପରିସର, ମଧ୍ୟପ୍ରଦେଶ ଅଧ୍ୟାୟୀଙ୍କ ଦ୍ୱାରା ବୃଷଭାନୁଜାନାଟିକା ଏବଂ ଶ୍ରୀ ରାଜୀବ ଗାନ୍ଧୀ ପରିସର, କର୍ଣ୍ଣାଟକ ଅଧ୍ୟାୟୀଙ୍କ ଦ୍ୱାରା କଂସବଧ ରୂପକ ଅତି ଚମତ୍କାର ଭାବେ ପରିବେଷିତ ହୋଇଥିଲା ।
ଏହି ରୂପକ ମହୋତ୍ସବରେ ଶ୍ରୀ ସଦାଶିବ ପରିସରର ନିର୍ଦ୍ଦେଶକ ଏବଂ ଅଖିଳ ଭାରତୀୟ ରୂପକ ମହୋତ୍ସବର ସଂଯୋଜକ ପ୍ରଫେସର ଖଗେଶ୍ୱର ମିଶ୍ରଙ୍କ ସମେତ ପ୍ରଫେସର ଅତୁଲ କୁମାର ନନ୍ଦ, ପ୍ରଫେସର ବଳଦେବାନନ୍ଦ ସାଗର, ପ୍ରଫେସର ଲୋକମାନ୍ୟ ମିଶ୍ର, ପ୍ରଫେସର ସର୍ବନାରାୟଣ ଝା, ପ୍ରଫେସର ୱାଇ.ଏସ୍. ରମେଶ, ପ୍ରଫେସର ଏସ୍.କେ.ସେନାପତି, ପ୍ରଫେସର ବନମାଳି ବିଶ୍ୱାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବିଦ୍ୱାନଗଣ ଏବଂ ସଦାଶିବ ପରିସରର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅଧ୍ୟାୟୀମାନେ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ଡକ୍ଟର ମଧୁକେଶ୍ୱର ଭଟ୍ଟ ଏବଂ ଡକ୍ଟର ଧର୍ମେନ୍ଦ୍ର ସିଂଦେଓ ସଂଯୋଜନା କରିଥିଲେ ।