-
ଅଭିଯୁକ୍ତ ଗୋପାଳର ଲେୟାର୍ଡ ଭଏସ ଟେଷ୍ଟ ଓ ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟ କରାଯିବ : ଝାରସୁଗୁଡ଼ାରେ ପହଂଚିଲା ସିଏଫଏସଏଲ ଟିମ୍
ଝାରସୁଗୁଡ଼ା, ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ମାମଲାରେ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଜାରୀ ରଖିଛି କ୍ରାଇମବ୍ରାଂଚ । ଆଜି ରିମାଣ୍ଡର ତୃତୀୟ ଦିନ । କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ ମାମଲା ତଦନ୍ତ ଚାଲିଥିବା ବେଳେ ଆଜି ଦିଲ୍ଲୀ ସେଂଟ୍ରାଲ ଫରେନସିକ ସାଇନ୍ସ ଲାବୋରୋଟାରୀ(ସିଏଫଏସଏଲ) ଟିମ୍ ଝାରସୁଗୁଡ଼ାରେ ପହଂଚିଛି । ଦିଲ୍ଲୀ ସିଏଫଏସଏଲ ଟିମ୍ ସହାୟତାରେ ଅଭିଯୁକ୍ତ ଗୋପାଳ ଦାସର ଲେୟାର୍ଡ ଭଏସ ଟେଷ୍ଟ କରାଯିବ । ଗୋପାଳର ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟ ମଧ୍ୟ କରାଯିବ । ଆସନ୍ତାକାଲି ଦୁଇଟି ଟେଷ୍ଟ କରାଯିବା ନେଇ କ୍ରାଇମବ୍ରାଂଚ ସୂତ୍ରରୁ ସୂଚନା ମିଳିଛି ।
ବୟାନରେ ତାଳମେଳ ନରହିବା, ପ୍ରଥମ ଦିନରୁ ଅଭିଯୁକ୍ତ ଗୋପାଳ ତଦନ୍ତକାରୀ ସଂସ୍ଥାକୁ ଦିଗହରା କରିବାକୁ ଚେଷ୍ଟା କରୁଥିବାରୁ କ୍ରାଇମବ୍ରାଂଚ ଏନେଇ ଏସଏଫଏସଏଲ ଓ ସିଏଫଏସଏଲ ସହିତ ଯୋଗାଯୋଗରେ ଥିଲା । ଅଭିଯୁକ୍ତ ଗୋପାଳର ମେଡିକାଲ ଟେଷ୍ଟ କରାଯିବ। ପରେ ଏହି ଦୁଇଟି ଟେଷ୍ଟ କରାଯିବ । ଲେୟାର୍ଡ ଭଏସ ଟେଷ୍ଟ ଦ୍ଵାରା ଗୋପାଳ କେତେ ସତ କହୁଛି, କେତେ ମିଛ କହୁଛି ତାହା ଧରାପଡିବ । ଏଥିରେ ଏକ ମେସିନ ଦ୍ଵାରା ଅଭିଯୁକ୍ତର ଭଏସକୁ ମ୍ୟାଚ୍ କରାଯାଏ । ଭଏସର ଫ୍ରିକ୍ୱେନ୍ସିକୁ ମ୍ୟାଚ କରାଯାଏ । ଯାହାଦ୍ଵାରା କି, ସମ୍ପୃକ୍ତ ବ୍ୟକ୍ତି ମିଛ କହୁଛନ୍ତି କିମ୍ବା ସତ କହୁଛନ୍ତି ତାହା ଜଣାପଡେ । ସେହିପରି ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟରେ ସିଏଫଏସଏଲର ବରିଷ୍ଠ ସାଇଂଟିଫିକ୍ ଅଫିସର ଏବଂ ସାଇକୋଲୋଜିଷ୍ଟ ମାନେ ତାଙ୍କର ମାନସିକ ସ୍ଥିତି ନେଇ ପଚରା ଉଚରା କରିବେ। ଯାହାଦ୍ଵାରା ବର୍ତମାନ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି କିଭଳି ରହିଛି ତାହା ସ୍ପଷ୍ଟ ହେବ ।
ପୂର୍ବରୁ ଘଟଣାସ୍ଥଳରୁ ଜବତ ଗୁଳି, ଅଭିଯୁକ୍ତ ନିକଟରୁ ଜବତ ୯ ଏମଏମ ପିସ୍ତଲ, ନବ ଦାସଙ୍କ ରକ୍ତ ଭିଜା ଡ୍ରେସ୍, ମେଡ଼ିକାଲ ରିପୋର୍ଟ ଓ ଭିସେରା ରିପୋର୍ଟକୁ ମଧ୍ୟ ଏସଏଫଏସଏଲକୁ ପଠାଯାଇଛି । ଗୋପାଳ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ଜେରା ବେଳେ ସ୍ଵୀକାର କରିଛି । ତେବେ ହତ୍ୟାକାଣ୍ଡର ଉଦ୍ଦେଶ୍ୟ କଣ ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଂଚ । ଗତକାଲି ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପରିସରରେ ଥିବା ଲାଟିନ୍ ଟାଙ୍କିରୁ ଗୋପାଳର ହାତଲେଖା ୧୨ ଖଣ୍ଡ କାଗଜ ଟୁକୁଡ଼ା ପାଇଛି କ୍ରାଇମବ୍ରାଂଚ । ଏଥିରୁ ମଧ୍ୟ କିଛି ତଥ୍ୟ ପାଇବା ଆଶାରେ ରହିଛି କ୍ରାଇମବ୍ରାଂଚ ।
ପ୍ରକାଶ ଥାଉକି, ଗତ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା ।