କେନ୍ଦୁଝର,କେନ୍ଦୁଝରରେ ପୁଣି ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ଛୁଆ ହାତୀର ଏହି ମୃତଦେହଟି ମଧ୍ୟ କଳାପାଟ ସଂରକ୍ଷିତ ଜଙ୍ଗଲ ଅଂଚଳ ମଧ୍ୟରୁ ଠାବ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଗଜରାଜଙ୍କର ଜୀବନ ସଙ୍କଟରେ ପଡିଥିବା ଘଟଣା ବାରମ୍ବାର ସ୍ପଷ୍ଟ ହେବାରେ ଲାଗିଥିଲେ ମଧ୍ୟ ଅଦ୍ୟାବଧି ପ୍ରାୟତଃ କୌଣସି ନିର୍ଦ୍ଦିଷ୍ଟ ସମାଧାନର ସୂତ୍ର ବାହାରି ପାରିନାହିଁ । କେନ୍ଦୁଝରରେ ଏକ ପକ୍ଷରେ ଦଳ ଦଳ ହୋଇ ହାତୀ ବିଭିନ୍ନ ଗାଁ ଗଣ୍ଡାରେ ଉପଦ୍ରବ ଚଳାଇଥିବା କାରଣରୁ ସାଧାରଣ ଲୋକଙ୍କର ଧନ ଜୀବନ ପ୍ରତି ବିପଦ ଲାଗି ରହିଛି । ଏପରିକି ହାତୀଙ୍କ ହାବୁଡରେ ପଡୁଥିବା ମୃତକଙ୍କ ସଂଖ୍ୟା ମଧ୍ୟ କମୁ ନାହିଁ । ଅନ୍ୟପକ୍ଷରେ ବିଭିନ୍ନ କାରଣରୁ କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏସବୁ ଉପରେ ଜବନୀକା ପକାଇବା ଦିଗରେ ବନ ବିଭାଗର ଉଦ୍ୟମ ଫଳପ୍ରଦ ହୋଇପାରୁ ନାହିଁ ।
ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ର କଳାପାଟ ସଂରକ୍ଷିତ ଜଙ୍ଗଲ ଓଢଣ ଗାଁ ନିକଟରେ ଏକ ପାହାଡ଼ ଉପରେ ହାତୀ ଛୁଆର ମୃତଦେହ ଠାବ ହୋଇଛି । ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ପରେ ବନ ବିଭାଗ କରିଥିବା ଅନୁମାନ ଅନୁଯାୟୀ ହାତୀ ଛୁଆଟିର ଗତ ପ୍ରାୟ ୧୦ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ କୌଣସି କାରଣରୁ ଦନ୍ତା ହାତୀର ଆକ୍ରମଣରେ ତାର ମୃତ୍ୟୁ ହୋଇଛି । ଏହି ପାହାଡ଼ ଉପରେ ଅନେକ ଦିନ ଧରି ହାତୀ ପଲ ରହି ଆସୁଥିଲେ । ସେହି ହାତୀ ପଲଙ୍କ ଭିତରେ ମା ହାତୀ ସହ ଛୁଆ ଓ ଦନ୍ତା ହାତୀ ରହିଥିଲେ । ମୃତ ହାତୀ ଛୁଆର ବେକରେ ଦୁଇଟି ଗଭୀର କ୍ଷତ ଚିହ୍ନ ରହିଛି । ଯାହା କି ଦନ୍ତା ହାତୀର ଦାନ୍ତ ଚିହ୍ନ ବୋଲି ଜଣାପଡୁଛି । ତେବେ କାହିଁକି ଓ କେଉଁ ପରିସ୍ଥିତରେ ମୃତ ହାତୀ ଛୁଆଟି ଦନ୍ତା ହାତୀ ଆକ୍ରମଣର ଶୀକାର ହେଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ କହିଛନ୍ତି । ସବୁ ସତ୍ବେ ହାତୀ ଛୁଆଟିର ମୃତ୍ୟୁର ଏତେଦିନ ପରେ ବନ ବିଭାଗ କିପରି ଜାଣିପାରିଲା ନାହିଁ ତାହା ଉପରେ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି । ଯାହାକି ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସ୍ଵଭାବିକ ଭାବେ ପ୍ରଶ୍ନ ଚିହ୍ନ ଲାଗିଛି । ଇତିମଧ୍ୟରେ ଏହି କଳାପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ତିନି ତିନୋଟି ହାତୀଙ୍କର ମୃତ୍ୟୁ ହୋଇ ସାରିଲାଣି । ଗତ କିଛି ଦିନ ତଳେ ଏହି କଳାପାଟ ସଂରକ୍ଷିତ ଜଙ୍ଗଲର ତାଳପଦା ନିତଟରେ ତୀର ମାଡରେ ମା ହାତୀ ଓ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ସେହି ଜଙ୍ଗଲରେ ଆଉ ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ଏଭଳି ଘଟଣାରେ ବନ ବିଭାଗ ପକ୍ଷରୁ ଚିରାଚରିତ ଭାବେ ଫରେଷ୍ଟ ଗାର୍ଡ ଭଳି ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ଦାୟିତ୍ଵ ଶେଷ କରିବା ପରେ ପୁଣି ଆଗାମୀ ଦିନକୁ ଅପେକ୍ଷା କରାଯିବ ନା ଏସବୁ ରୋକିବା କିମ୍ବା ହ୍ରାସ କରିବା ଲାଗି ଅନ୍ୟ କୌଣସି ଫଳପ୍ରଦ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଲା ।