ଝାରସୁଗୁଡ଼ା/ଗଞ୍ଜାମ, ଗୁଳିମାଡ଼ରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଗତକାଲି ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଆଜି ରିମାଣ୍ଡର ଦ୍ଵିତୀୟ ଦିନରେ ହତ୍ୟାକାଣ୍ଡ ସମ୍ପର୍କରେ ଗୋପାଳଙ୍କୁ ପଚରା ଉଚରା ଜାରୀ ରଖିଛି କ୍ରାଇମବ୍ରାଂଚ । ହତ୍ୟାକାଣ୍ଡ ପଛର କାରଣ କ’ଣ । କ’ଣ ପାଇଁ ସେ ମନ୍ତ୍ରୀଙ୍କୁ ଗୁଳି କଲେ । ଏହା ପଛରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି । ଆଦି ପ୍ରଶ୍ନର ଉତର ଖୋଜୁଛି କ୍ରାଇମବ୍ରାଂଚ । ସେହିପରି ପାଇଖାନା ଟାଙ୍କିରୁ ଅଭିଯୁକ୍ତ ଗୋପାଳର ହାତଲେଖା ଦସ୍ତାବିଜ ଉଦ୍ଧାର ହୋଇଛି । ଏଥିରୁ ମଧ୍ୟ କିଛି ତଥ୍ୟ ମିଳିପାରେ । ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଂଚ ଉପସ୍ଥିତିରେ ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପରିସରରେ ଥିବା ଏହି ଲାଟିନ୍ ଟାଙ୍କି ସଫା କରାଯାଇ ଛାନଭିନ୍ କରାଯାଇଛି । ଏହି ପାଇଖାନା ଟାଙ୍କିରୁ ୧୨ ଖଣ୍ଡ କାଗଜ ଟୁକୁଡ଼ା ପାଇଛି କ୍ରାଇମବ୍ରାଂଚ । ଏହି କାଗଜରେ ନାଲି ରଙ୍ଗରେ ଇଂରାଜୀ ଓ ଓଡ଼ିଆରେ କିଛି ଲେଖାଥିବା ସୂଚନା ମିଳିଛି । ମିଳିଥିବା ଏହି କାଗଜ ଟୁଗୁଡ଼ା ଗୋପାଳର ବୋଲି ଜଣାପଡିଛି । ହତ୍ୟାକାଣ୍ଡ ଦିନ ଗୋପାଳକୁ ଝାରସୁଗୁଡ଼ାଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା । ଥାନାରେ ଥିବା ବେଳେ ସେ ପାଇଖାନା ଯାଇ କାଗଜକୁ ଫ୍ଲସ୍ କରି ଦେଇଥିଲା । ଜେରା ବେଳେ କାଗଜ କଥା ଜଣାପଡିବା ପରେ ଏହି କାଗଜକୁ ଖୋଜୁଥିଲା କ୍ରାଇମବ୍ରାଂଚ । ଆଜି ରିମାଣ୍ଡର ଦ୍ଵିତୀୟ ଦିନରେ କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତ ଗୋପାଳକୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପରିସରକୁ ନେଇଥିଲା ପୋଲିସ । ତେବେ ଖୁବ୍ କମ୍ ସମୟ ମଧ୍ୟରେ ସେଠାରୁ ଅନ୍ୟତ୍ର ନେଇଥିବା ଜଣାପଡିଛି ।
କ୍ରାଇମବ୍ରାଂଚର ଅନ୍ୟ ଏକ ଟିମ୍ ଗତ ଦୁଇ ଦିନ ହେଲା ଗୋପାଳଙ୍କ ବ୍ରହ୍ମପୁର ସ୍ଥିତ ଘରେ ପହଂଚି ପରିବାର ଲୋକଙ୍କୁ ଏ ସମ୍ପର୍କରେ ପଚରା ଉଚରା ଜାରୀ ରଖିଛି । ଗୋପାଳ ଦାସଙ୍କ ମାନସିକ ବିକୃତି ଥିବା ନେଇ ଯାହା ତାଙ୍କ ପତ୍ନୀ ଜୟନ୍ତୀ ଦାସ କହୁଥିଲେ ତାକୁ ନେଇ ତାଙ୍କର ମେଡିକାଲ ପ୍ରେସକ୍ରିପ୍ସନ ସମ୍ପର୍କରେ ଗତକାଲି ଜୟନ୍ତୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଂଚ । ସେହିପରି ଗୋପାଳଙ୍କ ପୁତୁରାଙ୍କୁ ପଚରା ଉଚରା କରିଥିଲା ଟିମ୍ । ଗୋପାଳ ଦାସଙ୍କ ବଡଭାଇ ସତ୍ୟନାରାୟଣ ଦାସଙ୍କୁ ମଧ୍ୟ ଦୁଇ ଦିନ ତଳେ ପଚରା ଉଚୁରା ପାଇଁ ନେଇଛି । ଏପର୍ଯ୍ୟନ୍ତ ତାଙ୍କୁ ଛାଡି ନାହିଁ ।
ପ୍ରକାଶ ଥାଉକି, ଗତ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା । ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରିଛି ପୋଲିସ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚ ଟିମ୍ ଘଟଣାର ତଦନ୍ତ କରୁଛି । ଘଟଣାକୁ ଅତି ଗୁରୁତ୍ଵର ସହ ନେଇଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ପକ୍ଷରୁ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରାଯାଇଥିବା ବେଳେ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଅନୁମତି ପ୍ରଦାନ କରିଥିଲେ । ଆସନ୍ତା ୫ ତାରିଖ ସକାଳେ ଗୋପାଳକୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଂଚ ।