ମାଲକାନଗିରି, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ରଗେଇ ପୁଷପାଲୀ ଗ୍ରାମର ବୃନ୍ଦା କବାସୀ ଗତ ୧୫ ବର୍ଷ ଧରି ଶଯ୍ୟାଶାୟୀ ହୋଇ ରହିଛନ୍ତି । ଘରେ ଭିନ୍ନକ୍ଷମ ଭଉଣୀ । ତେବେ ସେ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଏକ ହୁଇଲ ଚେୟାର, ଖଟ, ଉଚ୍ଚ ଶୌଚାଳୟ, ରହିବା ପାଇଁ ଘର ଇତ୍ୟାଦି ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଗତକାଲି ସମାଜସେବୀ ରାମକୃଷ୍ଣ ଚୌଧୁରୀଙ୍କ ପ୍ରଚେଷ୍ଟାରେ ଆମ୍ବୁଲାନ୍ସ ଯୋଗେ ବୃନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ବୃନ୍ଦାଙ୍କୁ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ସେ ଗତ ୧୫ ବର୍ଷ ଧରି ଶଯ୍ୟାଶାୟୀ ରହିବା ସହ ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିବା କହିଥିଲେ । ଏଭଳି ପରିସ୍ଥିତିରେ ନିଜର ମୁଣ୍ଡ ଉପରେ ଭିନ୍ନକ୍ଷମ ଭଉଣୀଙ୍କ ବୋଝ । ତେଣୁ ତାଙ୍କୁ ତିନି ଚକିଆ ସାଇକେଲ ସହ ଖଟ ଇତ୍ୟାଦି ସହାୟତା ପ୍ରଦାନ କରିବାକୁ ସେ ଦାବି କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ତୁରନ୍ତ ସିଡିଏମଓ କାର୍ଯ୍ୟାଳୟକୁ ଫୋନ୍ କରି ଖଟର ବ୍ୟବସ୍ଥା କରିବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ । ଆଗାମୀ ଦିନରେ ବୃନ୍ଦାଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବୃନ୍ଦା ଏତେ ବର୍ଷ ଧରି ଶଯ୍ୟାଶାୟୀ ରହିଥିବା ଜାଣିବା ପରେ ୧ ହଜାର ଟଙ୍କା ଦେଇ ମନ ମୁତାବକ ଖାଦ୍ୟ ଖାଇବାକୁ ଅନୁରୋଧ କରିଥିଲେ । ଅତିଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବୃନ୍ଦାଙ୍କ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ ।
Related Stories
November 23, 2024