କେନ୍ଦ୍ରାପଡ଼ା – ଜଣେ କର୍ମଚାରୀ ଜିବିତ ଥିବା ଅବସ୍ଥାରେ ତାଙ୍କୁ ମୃତ ଦର୍ଶାଇ ଦରମା ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗକାରୀ ସନାତନ ସ୍ୱାଇଁ ଏକ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଅଭିଯୋଗ ମୁତାବକ ମହାକାଳପଡା ଥାନା ବଢିହ ଗ୍ରାମର ସନାତନ ସ୍ୱାଇଁ ୧୯୯୦ ମସିହାରୁ ମହାକାଳପଡା ତହସିଲ୍ରେ ଅସୁଲ୍ ମୋହରୀର ଭାବେ ଆଡହକ ନିଯୁକ୍ତି ପାଇଥିଲେ । ୧୯୯୮ ମସିହା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଦରମା ପାଇଥିଲେ । ପରବର୍ତୀ ସମୟଠାରୁ କାର୍ଯ୍ୟାଳୟରେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ତାଙ୍କୁ କୈାଣସି ଦରମା ନ ଦେବାରୁ ୩୧.୦୩.୨୦୦୫ ମସିହାରେ ଅନଶନରେ ଧାରଣା ଦେବାରୁ ରାମଚଣ୍ଡୀ ରାଜସ୍ୱ ମଣ୍ଡଳର ସମସ୍ତ କାଗଜପତ୍ର ତଦନ୍ତ କରି ତକ୍ରାଳୀନ କେନ୍ଦ୍ରାପଡା ଜିଲ୍ଲାପାଳ ଚିଠି ନମ୍ବର- ୬୭୯ ତା ୩୦.୦୫.୨୦୦୬ ରେ ପ୍ରଦାନ କରାଯାଇଥିଲା । ତେବେ ସନାତନ ଅନେକବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆପତି କରିବାପରେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ଅସୁସ୍ଥ ହୋଇ କଟକ ବଡ ଡାକ୍ତରଖାନାରେ କୋମା ଅବସ୍ଥାରେ ଚିକିତ୍ସାରେ ରହିଥିଲେ । ତେବେ ସେତେବେଳେ ତାଙ୍କ ପତ୍ନୀ ବିଭୁତି ପ୍ରଭା ସ୍ୱାଇଁ ଆର୍ଥିକ ଦୂରାବସ୍ଥାରେ ପଡି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀରେ ଆପତି ଦର୍ଶାଇଥିଲେ । ତେବେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନୁସଚିବ ବିଜୟ କୁମାର ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଚିଠି ନମ୍ବର- ୩୩୩୨୧ ତା ୨୯.୧୦.୨୦୧୯ ରେ ସନାତନଙ୍କୁ ମୃତ ଦର୍ଶାଇଥିବାରୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ତେବେ ଦୀର୍ଘଦିନ ରାଜସ୍ୱ ବିଭାଗରେ କାର୍ଯ୍ୟ କରି ବକେୟା ଦରମା ପାଇବା ପାଇଁ ଓ ପୁନଃ ନିଯୁକ୍ତି ପାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।