
ଗଞ୍ଜାମ, ବ୍ରହ୍ମପୁରରେ ସ୍ଥାପନ ହେବ ଭର୍ଚୁଆଲ ହାଇକୋର୍ଟ । ଏହାକୁ ଆସନ୍ତାକାଲି ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ଅନ୍ ଲାଇନ୍ ରେ ଉଦଘାଟନ କରିବେ ବୋଲି ଜଣାପଡିଛି । ଏଥିପାଇଁ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିସରରେ ଏକ ସ୍ଵତନ୍ତ୍ର କୋଠରୀ ପ୍ରସ୍ତୁତ ହୋଇଛି । ଏଥିରେ ଆଭାସୀ ମାଧ୍ୟମରେ କୋର୍ଟ ପରିଚାଳନା ପାଇଁ ଆବଶ୍ୟକ ଉପକରଣ ଉପଲବ୍ଧ କରାଯାଇଛି । ସ୍ଵତନ୍ତ୍ର କର୍ମଚାରୀ ମଧ୍ୟ କୋର୍ଟରେ ନିୟୋଜିତ ହେବେ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ଏଭଳି ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି । ଇ-ଫାଇଲିଂ, ଜାମିନ୍ ପାଇଁ ଆବେଦନ ଶୁଣାଣି ଆଦି ଏହି ଭର୍ଚୁଆଲ କୋର୍ଟ ମାଧ୍ୟମରେ ହୋଇପାରିବ । ଯାହାକି ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ସହାୟକ ହେବ ।
ବ୍ରହ୍ମପୁରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ବହୁ ବର୍ଷ ଧରି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଓ ସତ୍ୟାଗ୍ରହ ଚାଲିଥିଲା । ଭର୍ଚୁଆଲ୍ ହାଇକୋର୍ଟ ସ୍ଥାପନକୁ ନେଇ ଆଇନଜିବୀ ମାନେ ଉତ୍ସାହିତ ଅଛନ୍ତି । ଓକିଲ ସଂଘ ପକ୍ଷରୁ ମଧ୍ୟ ଏହାକୁ ସ୍ଵାଗତ କରାଯାଇଛି । କିନ୍ତୁ, ଏବେ ବି ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରୁ ଓହରି ନାହିଁ ଓକିଲ ସଂଘ । କୋର୍ଟ କାର୍ଯ୍ୟ ବ୍ୟାହତ ନହୋଇ କିଭଳି ଦାବି ଉପସ୍ଥାପନ କରାଯିବ ସେନେଇ ବୈଠକ ଡକାଯାଇ ନିଷ୍ପତି ନିଆଯିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି ।