-
ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବା ପାଇଁ ବ୍ୟଗ୍ର
-
ପୃଥ୍ୱୀରାଜ ହରିଚନ୍ଦନ
-
ଶାନ୍ତିପ୍ରିୟ ଓଡିଶାରେ ପ୍ରଥମ ଥର ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପରେ ଆଜି ଓଡ଼ିଶାବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି
-
ଅତୀତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ହେଉ କି କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇଥିଲେ ଏବଂ ଏହାର ଫଳାଫଳ ବିରାଟ ଶୂନ ହୋଇ ରହିଗଲା
-
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କଲେ । ସ୍ୱର୍ଗତ ଦାସଙ୍କୁ କିଏ ଓ କାହିଁକି ମାରିଲା ଏବଂ ବାସ୍ତବରେ ଏହି ହତ୍ୟାର ଷଡଯନ୍ତ୍ର ପଛରେ କିଏ କିଏ ଅଛନ୍ତି, ସେ ସମ୍ପର୍କରେ ରାଜ୍ୟ ସରକାର ଜାଣିବାକୁ ଚାହୁଁନାହାନ୍ତି । ପ୍ରଥମରୁ ଏହା ପଛରେ ଏକ ବିରାଟ ଷଡଯନ୍ତ୍ର ଥିବାର ରାଜ୍ୟବାସୀ ଅନୁଭବ କରୁଥିବାବେଳେ ରାଜ୍ୟ ସରକାର କାଳ ବିଳମ୍ବ ନକରି କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତର ନିର୍ଦ୍ଦେଶ ଦେଲେ । ଏହା ପରେ ଏହି ଅଭାବନୀୟ ଘଟଣାର ତଦନ୍ତକୁ ଜଣେ ହାଇକୋର୍ଟ ଜଜ୍ଙ୍କ ଦ୍ୱାରା ମନିଟରିଂ କରିବା ପାଇଁ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରିଲେ । ଏହି କ୍ରମରେ ଆଜି ଅବସରପ୍ରାପ୍ତ ଜଜ୍ ଶ୍ରୀ ଜେ.ପି.ଦାସଙ୍କୁ ତଦନ୍ତର ଦାୟୀତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସରକାରର ପୋଲିସ ଜଣକୁ ଗୁଳି ମାରି ହତ୍ୟା କଲେ, ପରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଂଚକୁ ତଦନ୍ତ ଭାର ଦିଆଗଲା । ବର୍ତମାନ ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତର ତଦାରଖ ଦାୟୀତ୍ୱ ଦିଆଗଲା । ସତେ ଯେପରି ଏହି ଘଟଣାରେ ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ଅକାଳ ମୃତ୍ୟୁ ପଛରେ ବିରାଟ ଷଡଯନ୍ତ୍ର ଦିନକୁ ଦିନ ଘନୀଭୁତ ହେଉଥିବାବେଳେ ରାଜ୍ୟ ସରକାର ଏହାର ସତ୍ୟାସତ୍ୟକୁ ଚାପି ଦେବାର ଅପପ୍ରୟାସ କରୁଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦାରଖ କରି ରାଜ୍ୟ ସରକାର ଏହି ସନ୍ଦେହକୁ ଆହୁରି ଘନୀଭୁତ କରିଛନ୍ତି । ଅତୀତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ହେଉ କି କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇଥିଲେ ଏବଂ ଏହାର ଫଳାଫଳ ବିରାଟ ଶୂନ ହୋଇ ରହିଗଲା । ଆଜି ପର୍ଯ୍ୟନ୍ତ ଉପରୋକ୍ତ ଦୁଇଟି ଘଟଣାର କୈାଣସି ଫଇସଲା ସାମ୍ନାକୁ ଆସିଲା ନାହିଁ । ଏପରି ସ୍ଥଳେ ନବ ଦାସଙ୍କ ହତ୍ୟାର ତଦନ୍ତକୁ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଇ ରାଜ୍ୟ ସରକାର କଣ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପରେ ଆଜି ଓଡ଼ିଶାବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଓଡିଶାବାସୀଙ୍କ ମନରୁ ଏହି ହତ୍ୟା ଷଡଯନ୍ତ୍ରର ସନ୍ଦେହକୁ ଦୁରୀଭୁତ କରିବା ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିବାକୁ ପୁନର୍ବାର ଦାବୀ କରୁଛୁ ବୋଲି ଶ୍ରୀ ହରିଚନନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ଉପସ୍ଥିତ ଥିଲେ ।