ବାରିପଦା, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଂଚଳର କତରା ଠାରେ ଜାତୀୟ ରାଜପଥ ନଂ ୪୯ କଡ଼ର ଏକ ଢ଼ାବାରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଉକ୍ତ ଢ଼ାବାରେ ବାଘ ଛାଲ ଡିଲ୍ ହେବାକୁ ଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ପୂର୍ବ ଯୋଜନା ଅନୁଯାୟୀ ପୋଲିସ ଟିମ୍ ସେଠାରେ ଛପି ରହିଥିଲା । ଡିଲ୍ ଚାଲିଥିବା ବେଳେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ସେଠାରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯିବା ସହ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ଉ ହୋଇଥିଲା । ଆଜି ଝାରପୋଖରିଆ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି ପୋଲିସ । ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।