
କେନ୍ଦୁଝର, କେନ୍ଦୁଝରଗଡ଼ ମ୍ୟୁନିସପାଲଟି ଅଂଚଳ ମଧ୍ୟରେ ରାଜା ରାଜୋଡା ସମୟରୁ ରହିଥିବା ତଥା ଅବହଳିତ ଅବସ୍ଥାରେ ପଡି ରହିଥିବା କେତେକ ପୋଖରୀର ଇତିମଧ୍ୟରେ ପୁନରୁଦ୍ଧାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ବିଭାଗ ପକ୍ଷରୁ ଗ୍ରହଣ କରାଯିବା ସହ ଶେଷ ମଧ୍ୟ କରାଯାଇଛି । ସେ ସମୟରେ ପ୍ରଜା ମାନଙ୍କର ହିତ ତଥା ବ୍ୟବହାର ପାଇଁ ରାଜାମାନେ ପୋଖରୀ ମାନ ଖୋଳିଥିଲେ । ଯାହା ମଧ୍ୟରେ ପୁରାତନ ହାଡବନ୍ଧ ପୋଖରୀ, ବଡଶାସନ ପୋଖରୀ ଆଦି ରହିଛି । ଅବଶ୍ୟ ଖଣିଜ ପାଣ୍ଠିରୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଉଛି । ତଥାପି ଅନ୍ୟ କେତେକ ପୋଖରୀ ରହିଯାଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହେଉଛି । ଯଦିଓ ପୂର୍ବରୁ କେତେକ କ୍ଷେତ୍ରରେ ବର୍ଷକୁ ବର୍ଷ କେନ୍ଦୁଝରଗଡ଼ ମ୍ୟୁନିସିପାଲଟି ପକ୍ଷରୁ ପୋଖରୀର ପୁନରୁଦ୍ଧାର ନାମରେ କେବଳ କେତେକ ପୋଖରୀର ଅଧପନ୍ତରିଆ ପଙ୍କ ଉଦ୍ଧାର କରାଯାଇ କାର୍ଯ୍ୟ ଶେଷ ଦର୍ଶାଯାଇ ବିଲ୍ କରାଯାଇଥାଏ । ଯଦିଓ ଚଳିତ ଥର ପୁନୁରୁଦ୍ଧାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ କରାଯାଉଛି । ଏଥର ଦ୍ଵିତୀୟ ଥର ପାଇଁ ବିଳମ୍ବରେ ହେଲେ ବି ପୁଣି ପାୱାର ହାଉସ ଓ ଉପାଧ୍ୟାୟ ପୋଖରୀ ଦ୍ଵୟର ପୁନରୁଦ୍ଧାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ସର୍ଭେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଓଡିଶା ବ୍ରିଜ କନଷ୍ଟ୍ରକସନ କମ୍ପାନୀ ପକ୍ଷରୁ ଏହି କାମ କରାଯାଉଥିବା ଜଣାପଡିଛି ।
କିନ୍ତୁ, ସବୁ ସତ୍ବେ ଏବେ ବି କେନ୍ଦୁଝରଗଡ଼ ମ୍ୟୁନିସିପାଲଟି ଅଂଚଳରେ ଅନ୍ୟ କେତେକ ପୋଖରୀ ଅବହେଳିତ ଅବସ୍ଥାରେ ରହିଅଛି । ସେଥିପ୍ରତି ମ୍ୟୁନିସପାଲଟି କର୍ତୁପକ୍ଷଙ୍କ ଦୃଷ୍ଟି ପଡିବା ନିହାତି ଦରକାର । ସହର ମଧ୍ୟରେ ୧୩ ନମ୍ବର ୱାର୍ଡ ତଥା ମନୋଜମଞ୍ଜରୀ ଶିଶୁ ଭବନ ପାର୍ଶ୍ଵରେ ତଥା କନଭେଂଟ ସ୍କୁଲ ପଛପଟେ ରହିଥିବା ରାଜାଙ୍କ ସମୟର ପୋଖରୀ, ଡି.ଆର.ଡି.ଏ. ଅଫିସ ସମ୍ମୁଖ ପୋଖରୀ, ଶିରିପୁର ପୋଖରୀ ଆଦି ଗୁଡିକ ପୁନରୁଦ୍ଧାର ସହ ସୋନ୍ଦର୍ଯ୍ୟକରଣର କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ରହିଅଛି । ଏ ଦିଗରେ କେନ୍ଦୁଝରଗଡ଼ ମ୍ୟୁନିସପାଲଟି କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ଲାଗି ବିଭିନ୍ନ ମହଲରୁ ଦାବୀ ଉଠିଛି । ଅନୁରୁପ ଭାବେ ଜିଲ୍ଲାପାଳ ଲୋକଙ୍କ ସମୁହ ସ୍ଵାର୍ଥ ପାଇଁ ଏ ଦିଗରେ କେନ୍ଦୁଝରଗଡ଼ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ଅର୍ଥ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପୈାରବାସୀ ଆଶା ରଖିଛନ୍ତି । ଏବଂ ମ୍ୟୁନିସିପାଲଟିର ନିର୍ବାଚିତ ପ୍ରତିନିଧିମାନଙ୍କର ମଧ୍ୟ ଏ ଦିଗରେ ସେମାନଙ୍କର ରହିଥିବା ଦାୟିତ୍ଵବୋଧକୁ ଉପଯୋଗ କରିବେ ବୋଲି ପୌରବାସୀ ଆଶା କରିବା ସ୍ଵଭାବିକ୍ ।