ଝାରସୁଗୁଡ଼ା, ଗୁଳିମାଡ଼ରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ଆଜି ତଦନ୍ତର ତୃତୀୟ ଦିନରେ ଘଟଣାସ୍ଥଳ ଅର୍ଥାତ୍ ବ୍ରଜରାଜନଗର ଗାନ୍ଧି ଛକରେ ପହଂଚି ତଦନ୍ତ କରିଛି କ୍ରାଇମବ୍ରାଂଚ ଟିମ୍ । କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ସେଠାରେ ପହଂଚି ତଦନ୍ତ କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ସେହିପରି ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ କାର୍ଯ୍ୟ କରୁଥିବା ଫାଣ୍ଡିର କର୍ମଚାରୀଙ୍କ ଠାରୁ ଗୋପାଳଙ୍କ ବାବଦରେ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଂଚ । ବିଶେଷ କରି ଗୋପାଳଙ୍କ ସ୍ଵଭାବ, କାର୍ଯ୍ୟ କରିବାର ଶୈଳି କିପରି ଥିଲା ସେନେଇ ପଚାରି ବୁଝିଛି ଟିମ୍ । ହତ୍ୟାକାଣ୍ଡ ପଛର କାରଣ କଣ ସେନେଇ ଖୋଳତାଡ଼ ଜାରୀ ରଖିଛି କ୍ରାଇମବ୍ରାଂଚ ।
ପ୍ରକାଶ ଥାଉକି, ଗତ ୨୯ ତାରିଖ ପୂର୍ବାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା । ଏହି ଗୁଳି ମାଡରେ ତାଙ୍କ ସହିତ ଥିବା ଜୀବନଲାଲ ନାୟକ ନାମକ ଅନ୍ୟ ଜଣେ କର୍ମୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରିଛି ପୋଲିସ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ଏକ ଟିମ୍ ଘଟଣାର ତଦନ୍ତ କରୁଛି । ଘଟଣାକୁ ଅତି ଗୁରୁତ୍ଵର ସହ ନେଇଛି କ୍ରାଇମବ୍ରାଂଚ । ଏପରିକି ଗୋପାଳଙ୍କୁ ଅଧିକ ପଚରା ଉଚରା ପାଇଁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଂଚ ।
ଗତକାଲି ତଦନ୍ତର ଦ୍ଵିତୀୟ ଦିନରେ ସୁନ୍ଦରଗଡ଼ ରିଜର୍ଭ ଲାଇନରେ ଅଭିଯୁକ୍ତ ଏଏସଆଇ ଗୋପାଳଙ୍କୁ ଜେରା କରିଥିଲା କ୍ରାଇମବ୍ରାଂଚ । ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନରେ ଝାରସୁଗୁଡ଼ା ଏସପି ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ କଣ ପାଇଁ ଏଏସଆଇ ମନ୍ତ୍ରୀଙ୍କୁ ଗୁଳି କଲେ । ସେନେଇ ଛାନଭିନ୍ ଜାରୀ ରଖିଛି କ୍ରାଇମବ୍ରାଂଚ ।