
ଭୁବନେଶ୍ୱର, ପୋଲିସ ଏଏସଆଇ ଗୋପାଳ ଦାସ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଫାଇରିଂ କରିଥିଲେ । ବ୍ରଜରାଜନଗର ଆଇଆଇସି ତାଙ୍କ ଏତାଲାରେ ଏହା ଉଲ୍ଲେଖ କରିଥିବା ଜଣା ପଡିଛି । ତେବେ ହତ୍ୟା ଉଦ୍ଦେଶ୍ୟ ପଛର କାରଣ ଏଯାଏ ସ୍ପଷ୍ଟ ହୋଇ ପାରି ନାହିଁ।
ଏତଲା ଅନୁଯାୟୀ, ମନ୍ତ୍ରୀ ନବ ଦାସଙ୍କର ଗତକାଲି ବ୍ରଜରାଜ ନଗରରେ ଲିଫ୍ଟସିଫ୍ଟ ବିଲ୍ଡିଂ ଉଦଘାଟନ କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକ୍ରମ ସ୍ଥଳରୁ କିଛି ମିଟର ପୂର୍ବରୁ ନବ ଦାସ ଓହ୍ଲାଇଥିବା ବେଳେ କର୍ମୀମାନେ ତାଙ୍କୁ ଫୁଲ ମାଳ ଦେଇ ପାଛୋଟି ନେଇଥିଲେ। ଏହି ସମୟରେ ଏଏସଆଇ ଗୋପାଳ ଟ୍ରାଫିକ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ। ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଗୋପାଳ ତାଙ୍କ ନିକଟକୁ ଚାଲିଯାଇଥିଲେ। ଏହାପରେ ଅତି ପାଖରୁ ନିଜ ସର୍ଭିସ ରିଭଲଭରରୁ ଫାୟାରିଂ କରିଥିଲେ । ଗୁଳି କରିବା ପରେ ସେ ତୁରନ୍ତ ସେଠାରୁ ଫେରାର ହେବାକୁ ଉଦ୍ୟତ ହେଉଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଆଇଆଇସି ଏବଂ ଜଣେ କନଷ୍ଟେବଳ ଗୋପାଳଙ୍କୁ ମାଡ଼ି ବସିଥିଲେ । ଧସ୍ତାଧସ୍ତି ମଧ୍ୟରେ ଗୋପାଳ ଆଉ ୨ ରାଉଣ୍ଡ ଗୁଳି ଚଳାଇଥିଲେ ।