କେନ୍ଦୁଝର – କେନ୍ଦୁଝର ସହରର ପୁରୁଣା ସହରଠାରେ ଥିବା ମନୋଜ ମଞ୍ଜରୀ ଶିଶୁଭବନ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ କେନ୍ଦୁଝର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ଏହି ମିଳିତ ଭାବେ ଏହି ଦିବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଆଇନସେବା ପ୍ରାଧିକରଣ ତରଫରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ପ୍ରାରମ୍ଭରେ ପ୍ରଭାତରୁ ଏହି ଅନ୍ଧ, ମୁକ ଓ ବଧିର ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରୁ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଏକ ପଦଯାତ୍ରା ବାହାରି ମାଉସୀ ମା’ ମନ୍ଦିର, ବଡଦାଣ୍ଡ ଶ୍ରୀ ବଳଦେବଜୀଉ ମନ୍ଦିର ଓ ପୁରୁଣା ବଜାର ପରିକ୍ରମା କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ବେଣୁଧର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ବନାଲି ତ୍ରିପାଠୀ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ପରେ ପରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଠାକ୍ରେ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ପ୍ରତ୍ୟେକ ବର୍ଗର ଲୋକମାନେ ସାହାଯ୍ୟ ଓ ସହଯୋଗ କରି ତାଙ୍କ ଉନ୍ନତିରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆଇନସେବା ପ୍ରାଧିକରଣର ସଚିବ ବନାଲି ତ୍ରିପାଠୀ ଯୋଗଦେଇ ଭିନ୍ନକ୍ଷମ ଆଇନ ୧୯୯୨ ଅନୁସାରେ ଭିନ୍ନକ୍ଷମମାନେ ସମ୍ମାନର ସହ ବଞ୍ଝିବା ଓ ମାଗଣା ଆଇନସେବା ପ୍ରଦାନ କରିବାକୁ ଭିନ୍ନକ୍ଷମ ଓ ତାଙ୍କ ପରିବାରକୁ ପ୍ରାଧିକରଣ ବଦ୍ଧ ପରିକର ବୋଲି କହିଥିଲେ । ପ୍ରାରମ୍ଭରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଜୟକୃଷ୍ଣ ବାରିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ସଂପର୍କରେ ସୂଚନା ଦେଇଥିଲେ । ମନୋଜମଞ୍ଜରୀ ଶିଶୁଭବନର ସଂପାଦକ ସତ୍ୟନାରାୟଣ ମିଶ୍ର ଯୋଗଦେଇ ୧୦୪ ଦେଶ ଦ୍ୱାରା ପାଳିତ ଉକ୍ତ ଭିନ୍ନକ୍ଷମ ଦିବସର ତାତ୍ପର୍ଯ୍ୟ ଅବତାରଣା କରିବା ସହ ଭିନ୍ନକ୍ଷମ ମାନଙ୍କର ଶିକ୍ଷା ଓ ଥଇଥାନ ନିମନ୍ତେ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ପରେ ପରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ବେଣୁଧର ପାତ୍ର ଯୋଗଦେଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ତାଙ୍କ ଅଭିଭାଷଣରେ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ ଓ ସହାନୁଭୁତିଠାରୁ ବଡ ଧର୍ମ କିଛି ନାହିଁ ବୋଲି କହିଥିଲେ । ସେମାନଙ୍କ ମଙ୍ଗଳ ବିଧାନ ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକ ସଂପର୍କରେ ବର୍ଣ୍ଣନା କରିଥିଲେ । ଭଲ ପାଠ ପଢି ବଡ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ରାମନାଥ ପଣ୍ଡା, ଭିଜିଲାନ୍ସ ବିଚାରପତି ରେଖା ପ୍ରସାଦ, ପରିବାର ଅଦାଲତ ବିଚାରପତି ମିନତୀ କୁମାରୀ ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ତିରଞ୍ଜନ ପାତ୍ର, ସିଭିଲକୋର୍ଟ ରେଜିଷ୍ଟ୍ରାର ଚିନ୍ମୟୀ ରଥ, ଜେଏମ୍ଏସ୍ସି ବିରଜା ପ୍ରସାଦ ପଣ୍ଡା ଓ ସିପ୍ରା ପ୍ରିୟଦର୍ଶନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ମନୋଜ କୁମାର ରଥ, ରତ୍ନାକର ସାହୁ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରି କରିଥିଲେ ।
Related Stories
November 24, 2024