ଭୁବନେଶ୍ଵର/ଝାରସୁଗୁଡ଼ା, ଆଜି ଝାରସୁଗୁଡ଼ାରେ ମନ୍ତ୍ରୀ ନବ କିଶୋର ଦାସଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ । ସରବାହାଲ ସ୍ଥିତ ଘରେ ପରିବାର ଲୋକେ, ଆତ୍ମିୟ ସ୍ଵଜନ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କର ଶେଷ ଦର୍ଶନ କରିବେ । ଏଠାରୁ ବେହେରାମାଳ କିଶାନ ଛକରୁ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯିବ । ଏହି ଶୋଭାଯାତ୍ରା ସହର ପରିକ୍ରମା କରିବ । ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ଆଜି ସକାଳେ ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନରେ ସ୍ଵର୍ଗତ ମନ୍ତ୍ରୀ ନବ କିଶୋରଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରିଛନ୍ତି । ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଶେଷ ଦର୍ଶନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେଠାରେ ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯାଇଛି । ସେହିପରି ବିଜେଡ଼ି କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ପରେ ତାଙ୍କ ପାର୍ଥିବ ଶରୀରରକୁ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରୁ ତାଙ୍କ କର୍ମଭୂମି ଝାରସୁଗୁଡ଼ାକୁ ନିଆଯାଇଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ପ୍ରକାଶ ଥାଉକି, ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଗତକାଲି ମଧ୍ୟାହ୍ନରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା । ଏହି ଗୁଳି ମାଡରେ ତାଙ୍କ ସହିତ ଥିବା ଜୀବନଲାଲ ନାୟକ ନାମକ ଅନ୍ୟ ଜଣେ କର୍ମୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାଶଙ୍କୁ ଗିରଫ କରିଛି ପୋଲିସ । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ କ୍ରାଇମବ୍ରାଂଚର ଏକ ଟିମ୍ ଘଟଣାର ତଦନ୍ତ କରୁଛି ।