ମାଲକାନଗିରି, ରାଜ୍ୟରେ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ମୋ ସ୍କୁଲ ଯୋଜନାରେ ରୂପାନ୍ତରିତ କରି ପର୍ଯ୍ୟାପ୍ତ ପରିମାଣର ଟଙ୍କା ବ୍ୟୟବରାଦ କରୁଛନ୍ତି । ଯାହାଫଳରେ ବିଦ୍ୟାଳୟ ଗୁଡିକ ଏବେ ସ୍ମାର୍ଟ ବିଦ୍ୟାଳୟରେ ପରିଣତ ହୋଇଅଛି । କିନ୍ତୁ, ମାଲକାନଗିରି ଜିଲ୍ଲାରେ ଶିକ୍ଷା ବିଭାଗରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ବେନିୟମ ଭାବେ ଛାତ୍ର ମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଇବା ପରିଲକ୍ଷିତ ହେଉଛି । ଏପରି ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ପାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ।
ଗତ ରବିବାର ଦିନ ଗମ୍ପାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥିବା ବେଳେ ନୂଆ ଚେୟାର, ଟେବୁଲ୍ ବୋଝେଇ ଏକ ଗାଡ଼ି ପହଞ୍ଚିଥିଲା । ସେ ଚେୟାର, ଟେବୁଲ୍ ଗୁଡ଼ିକୁ ଗାଡ଼ିରୁ ଓହ୍ଲାଇବା ପାଇଁ ଛାତ୍ରଙ୍କୁ ନିୟୋଜିତ କରାଯାଇଥିଲା । ଅଧ୍ୟୟନ କରିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ଏପରି ବିଭିନ୍ନ କାମରେ ନିୟୋଜିତ କରୁଥିବା ଅଭିଯୋଗ ହେଉଛି ।
ଅପରପକ୍ଷରେ ଛାତ୍ର ଛାତ୍ରୀ ସଂଖ୍ୟା ଅନୁସାରେ କମ ଶିକ୍ଷକ, କେତେକ ସ୍ଥାନରେ ରାସ୍ତାଘାଟ ସମସ୍ୟାରୁ ଠିକ୍ ରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଆସିପାରୁ ନାହାଁନ୍ତି, କେତେକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ବିଦ୍ୟାଳୟକୁ ଯାଉନଥିବା ଆଦିର ଏଠାରେ ନଜିର ରହିଛି । ଯାହାଫଳରେ ଶିକ୍ଷା ବ୍ୟବସ୍ଥା ଏଠାରେ ବିପର୍ଯ୍ୟସ୍ତ ହୋଇପଡିଥିବା ସମୟରେ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀଙ୍କୁ ଗାଡ଼ିରୁ ଚେୟାର ଟେବୁଲ୍ ଅନଲୋଡ କରିବା କାମରେ ନିୟୋଜିତ କରିବା କେତେଦୂର ସମିଚୀନ । ତେଣୁ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧି ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।