-
ଖବରକାଗଜ ସର୍ବଦା ସମାଜର ଜାଗ୍ରତ ପ୍ରହରୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
“ଦ ମୁମେଣ୍ଟ’ ସାମାଜିକ ଅନୁଷ୍ଠାନ, ପୁରୀ ଆନୁକୁଲ୍ୟରେ ଜାତୀୟ ଖବର କାଗଜ ଦିବସ ରାଣୀ ସତୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଉପଦେଷ୍ଟା ଶିବସୁନ୍ଦର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର ଯୋଗଦେଇ କହିଲେ ଖବରକାଗଜ ସର୍ବଦା ସମାଜର ଜାଗ୍ରତ ପ୍ରହରୀ l ୧୭୮୦ ମସିହାରେ ବ୍ରିଟିଶ କମ୍ପାନୀ ସରକାର ଶାସନ ସମୟରେ ବେଙ୍ଗଲରେ ଜେମ୍ସ ଅଗଷ୍ଟ ହିକ୍ସ ବେଙ୍ଗଲ ଗେଜେଟ ନାମରେ ଏକ ସାପ୍ତାହିକ ପତ୍ରିକା ପ୍ରଚଳନ କରିଥିଲେ l ଏହା ଇଂରାଜୀ ଭାଷାରେ ପ୍ରକାଶିତ ହେଉଥିଲା ଉଦ୍ଦେଶ୍ୟ ଥିଲା ଇଂରାଜୀ କମ୍ପାନୀ ସରକାରର ଦୋଷ ଦୁର୍ବଳତା ପ୍ରକାଶ କରିବା l ପରିଶେଷରେ ୧୯୮୨ରେ ତତ୍ କାଳୀନ ବଡ଼ଲାଟ ଏହି ପତ୍ରିକାକୁ ଅସିଦ୍ଧ ଘୋଷଣା କରିବା ସହ ସମ୍ପାଦକଙ୍କୁ ଜେଲ ପଠାଇଥିଲେ l ସେହି ପତ୍ରିକାର ପ୍ରକାଶନ ତିଥି ଜାନୁଆରୀ ୨୯ ତାରିଖକୁ ଜାତୀୟ ଖବର କାଗଜ ଦିବସ ରୂପେ ପାଳନ କରାଯାଉଛି l ମୁଖ୍ୟବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ସରୋଜ ମିଶ୍ର ଯୋଗଦେଇ କହିଲେ ବର୍ତ୍ତମାନ ସମୟରେ ଭାରତରେ ବିଭିନ୍ନ ଆଞ୍ଚଳିକ ଭାଷାରେ ଶହ ଶହ ସମ୍ବାଦ ପତ୍ର ପ୍ରକାଶ ହେଉଛି କିନ୍ତୁ ସମ୍ବାଦ ପତ୍ର ଗୁଡ଼ିକର ସମ୍ବାଦ ପରିବେଷଣର ମାନ ଉଚ୍ଚତର ନୁହେଁ l ଅନେକ ଖବର କାଗଜ ସତ୍ୟ, ପ୍ରାମାଣିକ, ନିର୍ଭୀକ, ନିରପେକ୍ଷ ଓ ତଥ୍ୟନ୍ଵେଶି ଖବର ପରିବେଷଣ କରୁଛନ୍ତି ଯାହା ପାଠକଙ୍କ ମନରେ ସମ୍ବାଦପତ୍ର ପ୍ରତି ଆକର୍ଷଣ ସୃଷ୍ଟି କରୁଛି l ବିଶିଷ୍ଟ ଅତିଥି ରୂପେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ କହିଲେ ଜନଗଣଙ୍କର ସମସ୍ୟା ସରକାରଙ୍କୁ ଜଣାଇବା ଓ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ଲୋକଙ୍କୁ ଅବଗତ କରାଇବା ନିମନ୍ତେ ଗଣମାଧ୍ୟମ ଏକ ବଳିଷ୍ଠ ଗଣମଞ୍ଚ l ଐତିହାସିକ ମଦନ ମୋହନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ପ୍ରଶାସନର ଦୋଷ ଦୁର୍ବଳତା ପ୍ରକାଶ କରିବା ସହ ଗଠନ ମୂଳକ ପରାମର୍ଶ ଦେବା ସାମ୍ବାଦିକ ମାନଙ୍କର ମୌଳିକ ଆଭିମୁଖ୍ୟ ହେବା ଉଚିତ୍ ଏବଂ ଅନୁସନ୍ଧାନ ମୂଳକ ଖବର ସଭିଙ୍କୁ ଅନୁପ୍ରାଣିତ କରିଥାଏ ଓ ସଠିକ୍ ମାର୍ଗ ଦେଖାଇଥାଏ l ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ନଗରପାଳ ଶାନ୍ତିଲତା ପ୍ରଧାନ, ପ୍ରଫେସର କାର୍ତ୍ତିକ କୁମାର ଦାସ, ଶିକ୍ଷାବିତ୍ ସୁଶ୍ରୀ କ୍ରୀଷ୍ଣା ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ସାମ୍ବାଦିକ ପ୍ରଦୀପ କୁମାର ନାୟକ ଆଲୋଚନା ଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ସହ ସମ୍ପାଦକ ସାମ୍ବାଦିକ ଅନନ୍ତ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଆୟୋଜିତ ଆଲୋଚନା ଚକ୍ରରେ ଆଇନୀଜିବି ଡ଼କ୍ଟର ପ୍ରଧାନ ଧୀରେନ୍ଦ୍ର ରାୟ, ଅଶୋକ କୁମାର ଆଢିଆ, ଅନ୍ନପୂର୍ଣ୍ଣା ଦେବୀ, ଦେବନ୍ କୁମାର ଦାଶ, ସଦାଶିବ ମିଶ୍ର, ଭବାନୀ ପ୍ରସାଦ ବଳିଆର ସିଂ, ମୀରା ମହାନ୍ତି, ଡ଼କ୍ଟର ରାନୁ ମିଶ୍ର, ମଞ୍ଜୁଶ୍ରୀ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି ଖବର କାଗଜର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟ ଓ ଚିତ୍ରଶିଳ୍ପୀ ଦୁର୍ଗାମାଧବ କରଙ୍କୁ ସ୍ଵତନ୍ତ୍ର ଭାବେ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଉପଦେଷ୍ଟା ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l