କେନ୍ଦୁଝର – ରାଜ୍ୟ ସରକାରଙ୍କ ପରିବହନ ବିଭାଗଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋଟରଯାନ ଚାଳନା ନିମନ୍ତେ ଆବଶ୍ୟକ ହେଉଥିବା ଲର୍ଣ୍ଣିଂ ଲାଇସେନ୍ସ୍ ପ୍ରଦାନ ନିମିତ ବିଭିନ୍ନ ଅଂଚଳରେ ଶିବିର ଆୟୋଜନ କରାଯାଉଛି । ଏହି ନିଷ୍ପତି ଅନୁଯାୟୀ ଚଳିତ ଡିସେମ୍ବର ମାସ ୮ ତାରିଖରୁ ଡିସେମ୍ବର ମାସ ୧୨ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଶେଖର ମହାହବିଦ୍ୟାଳୟ, ଚମ୍ପୁଆ ଠାରେ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ଶିବିର ଅନୁଷ୍ଠିତ ହେବ ବୋଲି ସ୍ଥିତିକୃତ ହୋଇଅଛି । ସୂଚନାଯୋଗ୍ୟ ଯେ ଡିସେମ୍ବର ମାସ ୮ ତାରିଖରୁ ଡିସେମ୍ବର ମାସ ୯ତାରିଖ ପର୍ଯ୍ୟନ୍ତ(ଦୁଇ ଦିନ) କେବଳ ଚମ୍ପୁଆ ଉପଖଣ୍ଡ ଅଂଚଳର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଶିବିରର ସୁଯୋଗ ନେଇପାରିିବେ । ଡିସେମ୍ବର ୧୦ ତାରିଖରୁ ଡିସେମ୍ବର ମାସ ୧୨ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଲର୍ଣ୍ଣିଂ ଲାଇସେନ୍ସ ପ୍ରାପ୍ତି ନିମନ୍ତେ ଏହି ଶିବିରର ସୁଯୋଗ ନେଇପାରିବେ । ଲର୍ଣ୍ଣିଂ ଲାଇସେନ୍ସ ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରି ଆବଶ୍ୟକୀୟ ଫିସ୍ ମଧ୍ୟ ଅନ୍ ଲାଇନ୍ରେ ଦାଖଲ କରି ଲର୍ଣ୍ଣିଂ ଲାଇସେନ୍ସ୍ ଟେଷ୍ଟ୍ ପାଇଁ ସ୍ଲଟ୍ ବୁକିଂ କରିପାରିବେ ଏବଂ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଆବଶ୍ୟକୀୟ ପ୍ରମାଣ ପତ୍ର/କାଗଜାତ ସହ ଲର୍ଣ୍ଣିଂ ଲାଇସେନ୍ସ୍ ଟେଷ୍ଟ୍ ନିମନ୍ତେ ଶିବିରରେ ଉପସ୍ଥିତ ରହିବାକୁ ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଲର୍ଣ୍ଣିଂ ଲାଇସେନ୍ସ୍ ଟେଷ୍ଟ୍ ପାଇଁ ଶିବିରକୁ ଆସିବାବେଳେ ପରିଚୟ ନିମନ୍ତେ ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର, ଜନ୍ମତାରିଖ ପ୍ରମାଣ ପତ୍ର (ଜନ୍ମ ପ୍ରମାଣ ପତ୍ର କିମ୍ବା ପାନ୍କାର୍ଡ କିମ୍ବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ବୋର୍ଡ ସାର୍ଟିଫିକେଟ୍ କିମ୍ବା ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର), ବ୍ଲଡ୍ ଗ୍ରୁପ୍ ପ୍ରମାଣପତ୍ର, ଦୁଇଟି ପାସ୍ପୋର୍ଟ ସାଇଜ୍ ଫଟୋଗ୍ରାଫ୍ ସାଙ୍ଗରେ ଆଣିବା ଏକାନ୍ତ ଆବଶ୍ୟକ ରହିଛି । ଯେଉଁ ବ୍ୟକ୍ତିଙ୍କର ବ୍ଲଡ୍ ଗ୍ରୁପ୍ ପ୍ରମାଣ ପତ୍ର ନାହିଁ, ସେମାନେ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଚମ୍ପୁଆଠାରେ ହେବାକୁ ଥିବା ବ୍ଲଡ୍ ଗ୍ରୁପିଂ ସେଂଟରରେ ଉକ୍ତ ପ୍ରମାଣ ପତ୍ର ପାଇପାରିବେ । ପଚାଶ ବର୍ଷ ଉଦ୍ଧ୍ୱର୍ ବୟସର ବ୍ୟକ୍ତିମାନେ ଡାକ୍ତରଙ୍କଠାରୁ ଫିଟ୍ନେସ୍ ପ୍ରମାଣ ପତ୍ର ଆଣିବା ବାଂଛନୀୟ ଅଟେ । ଉକ୍ତ ଶିବିରରେ ମୋଟରଯାନର ଫିଟ୍ନେସ୍ ପରୀକ୍ଷା, ଇନ୍ସୁରାନସ୍ କରାଯିବା ସହିତ ପଲ୍ୟୁସନ୍ ଟେଷ୍ଟ୍ ମଧ୍ୟ କରାଯିବ ବୋଲି ଆଂଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ସୂଚନା ଦେଇଛନ୍ତି । ଉକ୍ତ ଶିବିରର ସୁଯୋଗ ନେବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ପରିବହନ ବିଭାଗ ତରଫରୁ ଅନୁରୋଧ କରାଯାଇଛି ।
Related Stories
November 24, 2024