-
ଡାକ୍ତରମାନଙ୍କର ଚେଷ୍ଟା ସଫଳ ହେଲା ନାହିଁ
ବ୍ର୍ରଜରାଜନଗରରେ ଜଣେ ପୋଲିସକର୍ମୀ ନିକଟରୁ ମାରିଥିଲେ ଗୁଳି
ଭୁୁବନେଶ୍ୱର, ୨୯ ଜାନୁଆରୀ – ଡାକ୍ତରମାନଙ୍କର ପ୍ରୟାସ, ଲୋକ ମାନଙ୍କର ପ୍ରାର୍ଥନା କାମ ଦେଇ ନାହିଁ । ଗୁଳି ମାଡର ଶୀକାର ହେବା ପରେ ହସପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷରେ ବିୟୋଗ ଘଟିଛିା ବିଶେଷଜ୍ଞ ଡାକ୍ତର ମାନେ ତାଙ୍କର ଚିକିତ୍ସା ପାଇଁ ଯଥା ସମ୍ଭବ କରିଥିଲେ ସୁଦ୍ଧା ତାହା ସଫଳ ହୋଇ ପାରି ନାହିଁ । ଏହାକୁ ନେଇ ସାରା ରାଜ୍ୟରେ ଶୋକର ବାତାବରଣ ଦେଖା ଦେଇଛି । ତାଙ୍କର ଅକାଳ ମୃତ୍ୟୁରେ ଅନେକ ମାନ୍ୟଗଣ୍ୟ ଲୋକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ ଆଜି ମଧ୍ୟାହ୍ନରେ ଜଣେ ପୋଲିସକର୍ମୀ ତାଙ୍କୁ ବ୍ରଜରାଜନଗରରେ ଖୁବ ପାଖରୁ ଗୁଳି ମାଡ କରିଥିଲେ । ଗୁଳି ତାଙ୍କ ଛାତିରେ ବାଜିଥିଲା । ଏହା ପରେ ତାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରେ ଭର୍ତୀ କରା ଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରା ଯାଇ ଭୁବନେଶ୍ୱର ଅଣା ଯାଇଥିଲା ।
ଭୁବନେଶ୍ୱର ବିମାନ ବନ୍ଦର ଅଣା ଯିବା ପରେ ତାଙ୍କୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଥିଲା । ବିମାନ ବନ୍ଦରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଯାଏ ଗ୍ରିନ୍ କରିଡରରେ କରାଯାଇଥିଲା ।
ଆପୋଲୋ ହସପିଟାଲରେ ତାଙ୍କର ଅସ୍ତ୍ରୋପଚାର ଚାଲିଥିଲା । ଆପୋଲୋ ବ୍ୟତୀତ ଏସସିବି ମେଡିକାଲ କଲେଜ ଓ କ୍ୟାପିଟାଲ ହସପିଟାଲର ସ୍ୱତନ୍ତ୍ର ବିଶେଷଜ୍ଞ ମାନଙ୍କୁ ନେଇ ଡାକ୍ତରୀ ଟିମ୍ ଦ୍ୱାରା ଅସ୍ତ୍ରୋପଚାର ଚାଲିଥିଲା ।
ତାଙ୍କୁ ଆପୋଲୋ ହସପିଟାଲରେ ଭର୍ତି କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସପିଟାଲରେ ଯାଇ ପହଂଚିଥିଲେ । ସେ ସେଠାରେ ଡାକ୍ତର ମାନଙ୍କ ସହ କଥାବାର୍ତା କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସେ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅଙ୍କୁ ଭେଟି ତାଙ୍କୁ ସମବେଦନା ଜଣାଇଥିଲେ ।
ଆପୋଲୋ ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ କରିବାକୁ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଂଚିଥିଲେ ।
ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଥିବା ନବକିଶୋରଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସେ ୧୯୬୨ ମସିହା ଜାନୁଆରି ୭ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ । ନବ ଦାସଙ୍କ ପରଲୋକରେ ପଶ୍ଚିମ ଓଡ଼ିଶା ସମେତ ପୂରା ରାଜ୍ୟ ଜଣେ ଟାଣୁଆ ନେତାଙ୍କୁ ହରାଇଛି ।
ଛାତ୍ର ସମୟରୁ ସେ ରାଜନୀତିରେ ସକ୍ରିୟ ଥିଲେ । ସେ ତିନି ଥର ବିଧାୟକ ରହି ସାରିଛନ୍ତି । ପୂର୍ବରୁ ସେ କଂଗ୍ରେସ ଦଳରୁ ବିଧାୟକ ଭାବେ ବିଜୟ ଲାଭ କରିଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ୨୦୧୯ ମସିହାରେ ସେ ବିଜେଡି ଟିକେଟରୁ ବିଜୟୀ ହେବା ପରେ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଥିଲେ ।