
ରାଉରକେଲା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ସତ୍ବେ ଆଜି ବି ଅନେକ ଗରିବ ଯୋଗ୍ୟ ହିତାଧିକାରୀ ଏହାର ସୁଫଳ ପାଇବାରୁ ବଂଚିତ ରହିଛନ୍ତି । ଶାସନ କ୍ଷମତାରେ ବସିଥିବା ଦଳ, ନେତା ପ୍ରଚାର ସର୍ବସ୍ଵ ରାଜନୀତିରେ ବୁଡି ରହିଥିବା ବେଳେ ଗାଁ, ବସ୍ତିରେ ରହୁଥିବା ସଂଖ୍ୟା ବହୁଳ ଲୋକେ ଆଜି ବି ରାସନ କାର୍ଡ ଖଣ୍ଡେ ହେଉ କି ବାର୍ଦ୍ଧକ୍ୟ ଭତା ବା ପକ୍କା ଘର ଖଣ୍ଡେ ପାଇଁ ନେହୁରା ହେବା ସାର ହୋଇଛି । ବହୁ ସାମାଜିକ କର୍ମୀଙ୍କ ଚେଷ୍ଟା ସତ୍ବେ ଏମାନଙ୍କ ସ୍ଵପ୍ନ ସାକାର ହୋଇପାରୁନି । ଏଭଳି କିଛି କାରଣ ତଥା ଅବହେଳା ପାଇଁ ଅନେକ ନିରୀହ ବସ୍ତି ବାସିନ୍ଦାଙ୍କ ଜୀବନ କିଭଳି ଦୁର୍ବିସହ ପାଲଟିଛି ତାର ଏକ ନିଚ୍ଛକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦକ୍ଷିଣ ରାଉରକେଲାର ବ୍ରିଟାନିଆ କଲୋନୀରେ ।
ଏହି ବସ୍ତିରେ ରହନ୍ତି ସୋନୁ ଜୋଜ (୬୩), ପତ୍ନୀ ଉଷା (୬୧) ଓ ଏକମାତ୍ର ରୋଗୀଣା ପୁଅ ସଞ୍ଜୟ (୩୩) । ଉଭୟ ପତି ପତ୍ନୀ ଓ ପୁଅ ବିଭିନ୍ନ ରୋଗରେ ଆକ୍ରାନ୍ତ । ସୋନୁ ଚେୟାର ଖଣ୍ଡେ ଧରି ଚଲା ବୁଲା କରୁଥିବା ବେଳେ ପତ୍ନୀ ଉଷା ଘୋଷାଡ଼ି ହୋଇ ଘର କାମ କରନ୍ତି । ଆଣ୍ଠୁ ଗଣ୍ଠି ବାତ ତାଙ୍କୁ ଏକ ପ୍ରକାର ଅଚଳ କରି ପକାଇଛି । ବେମାରିଆ ପୁଅଟି କେବେ କେମିତି ମୁଲ ମଜୁରୀ ପାଇଲେ ପରିବାର ଗଣ୍ଡେ ଭଲରେ ଖାଆନ୍ତି ନହେଲେ ନାହିଁ । ଘର ବୋଇଲେ ଚିରାଫଟା ଲୁଗା ଘେରା ପାଚେରୀ ଆଉ ଦୁଇ ଖଣ୍ଡ ଆଜବେଷ୍ଟସ । ଏମିତି ଅବସ୍ଥାରେ ନା ଏମାନଙ୍କୁ ମିଳିଛି ଖଣ୍ଡେ ରାସନ କାର୍ଡ ନା ବାର୍ଦ୍ଧକ୍ୟ ଭତା । ଆବାସ ମିଳିବା ତ ସ୍ଵପ୍ନ । କାରଣ ଏହି ଅଂଚଳଟି ନା ପଂଚାୟତରେ ଅନ୍ତର୍ଭୁକ୍ତ ହୋଇପାରିଛି ନା ମହାନଗରରେ ମିଶି ପାରିଛି । ଶିଳ୍ପାଚଂଳ ଭିତରେ ରହିଥିବାରୁ ଏସବୁ ଅଂଚଳର ଅନେକ ଗରିବ ବସ୍ତି ବାସିନ୍ଦା ସରକାରୀ ଯୋଜନାରୁ ବଂଚିତ ରହି ଏକ ପ୍ରକାର ଅଭିଶପ୍ତ ଜୀବନ କାଟୁଛନ୍ତି । କାଗଜ ପତ୍ର ଅଭାବରୁ ସୋନୁଙ୍କ ପରିବାରର କେହି ସଦସ୍ୟ ଆଧାର କାର୍ଡ ଖଣ୍ଡେ ପାଇ ପାରୁ ନାହାଁନ୍ତି । ଏହି ଆଳରେ ସରକାରୀ ବାବୁ, ନେତା କେହି ହେଲେ ଏହି ଗରିବ ପରିବାରର ଦୁଃଖ ଶୁଣୁ ନାହାନ୍ତି ବୋଲି କହନ୍ତି ସ୍ଥାନୀୟ ବାସିନ୍ଦା । ବର୍ଷ ବର୍ଷ ଧରି ଅଭାବରେ ପଡି ଘାଂଟି ହେଉଥିବା ସୋନୁଙ୍କ ପରିବାରକୁ କେବେ ପ୍ରଶାସନ ସହାୟତାର ହାତ ବଢାଇବ, ଏମାନେ ଯୋଜନାର ସୁଫଳ ପାଇବେ ଭଲ ଚିକିତ୍ସା ସେବା ପାଇବେ ଓ ନିରୋଗ ଜୀବନ ଜିଇବେ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।