
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକକୁ ବିକାଶ ଛୁଇଁବ କେବେ ? ଅଦ୍ୟାବଧି ଏ ଦିଗରେ ପ୍ରଶାସନର ଦୃଷ୍ଟି ପଡୁନାହିଁ, ତାହାକୁ ନେଇ ସାଧାରଣରେ ଉଠିଛି ବଡ଼ ପ୍ରଶ୍ନ । ହରିଚନ୍ଦନପୁର ଠାରେ ସମସ୍ତ ବିଭାଗର କାର୍ଯ୍ୟାଳୟ ସହ ବିଭିନ୍ନ ଯୋଜନାମାନ ଥାଇ ମଧ୍ୟ କିଛି କାର୍ଯ୍ୟକାରୀ ହେଉନାହିଁ ଯେପରି, ଯାହା ଦେଖିଲେ ବିକାଶ ଛୁଇଁ ନାହିଁ ଭଳି ଅନୁମେୟ ହୁଏ।
ହରିଚନ୍ଦନପୁର ଉପରେ ବ୍ଲକର ୨୫ଟି ପଞ୍ଚାୟତବାସୀଙ୍କ ଠାରୁ ଆରମ୍ଭ କରି ଆଖପାଖ ଘଟଗାଁ ବ୍ଲକର ଅନେକ ପଞ୍ଚାୟତ ସହ ଗାଁର ଲୋକେ ନିର୍ଭର କରିଥାନ୍ତି । ସାଧାରଣତଃ ଘଟଗାଁ ମା”ତାରିଣୀଙ୍କ ଦର୍ଶନ ନିମନ୍ତେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ବା ଯାତ୍ରୀ ବିଭିନ୍ନ ଗାଡ଼ି ଯୋଗେ ଏହି ସ୍ଥାନ ଦେଇ ଯାତାୟତ କରିଥାନ୍ତି । ହେଲେ ଦୁଃଖ ପରିତାପର ବିଷୟ ଏଠାରେ ଯାତ୍ରୀଙ୍କ ନିମନ୍ତେ ପରିସ୍ରାଗାର କିମ୍ବା ଶୌଚାଳୟର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଯାହାଦ୍ବାରା ପ୍ରତ୍ୟେକ ଦିନ ଦୂର ଦୂରାନ୍ତରୁ ଆସୁଥିବା ଶହଶହ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳେ । ବଜାର ଅଛି ସତ ହେଲେ ଆଜି ପର୍ଯ୍ୟନ୍ତ ଏଠାରେ ଡ୍ରେନର ବ୍ୟବସ୍ଥା ହୋଇନାହିଁ ଯାହା ଫଳରେ ବର୍ଷାଦିନେ ରାସ୍ତା ଉପରେ ଅଳିଆ ଆବର୍ଜ୍ଜନା ପାଣି ପ୍ରବାହିତ ହୁଏ । ବଜାରର ଅଳିଆ ଆବର୍ଜ୍ଜନା ପକାଇବା ପାଇଁ ସ୍ବତନ୍ତ୍ର କୌଣସି ବ୍ୟବସ୍ଥା କରାଯାଇନାହିଁ, ଫଳରେ ଅଳିଆ ଆବର୍ଜ୍ଜନା ଗୁଡ଼ିକ ବଜାରର ଫାଙ୍କା ଥିବା ସ୍ଥାନରେ ପକାଯାଉଛି । ଏଠାକାର ଜନସାଧାରଣଙ୍କ ନିମନ୍ତେ ସ୍ବଚ୍ଛ ପାନୀୟ ଜଳର ଅଭାବ ଦୂର କରିବା ପାଇଁ ସରକାରଙ୍କ ରାଜସ୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏକ ଲକ୍ଷ ଲିଟର ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି ସତ। ହେଲେ ନିର୍ମାଣ ପରେ କାର୍ଯ୍ୟକାରୀ ଅପେକ୍ଷାରେ ରହି ରହି ପାଣିଟାଙ୍କିଟି ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ପଡ଼ି ଏବେ ଭାଙ୍ଗିବାକୁ ବସିଛି । ନଳକୂପର ସ୍ବଚ୍ଛ ପାଣି ହରିଚନ୍ଦନପୁର ବାସିନ୍ଦାଙ୍କ ପାଇଁ ସ୍ବପ୍ନ କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ସେ ସୁବିଧା ଏଠାରେ ନାହିଁ । ବିଭାଗ ଥାଇ ମଧ୍ୟ ଦୃଷ୍ଟି ଆକର୍ଷଣ ହେଉନାହିଁ, ଫଳରେ ନଦୀର ଜଳକୁ ସ୍ବଚ୍ଛ ଜଳ ଭାବେ ଗ୍ରହଣ କରୁଛନ୍ତି ଏଠାରେ ସ୍ଥାନୀୟ ବାସିନ୍ଦା । ଅତି ଦୁଃଖର ବିଷୟ ଏଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଛି, ହେଲେ ଶବ ବ୍ୟବଚ୍ଛେଦ ନିମନ୍ତେ କିଛି ସୁବିଧା ହୋଇନାହିଁ, ଯାହା ଫଳରେ ଏଠାକାର ଗରିବ ଆଦିବାସୀ ଶବ ବ୍ୟବଚ୍ଛେଦ ପାଇଁ ଅନେକ ଖର୍ଚ୍ଚାନ୍ତ ହୋଇ ବାଧ୍ୟ ହୋଇ ୪୫ କି.ମି. କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି । ସ୍ଥାନୀୟ ଲୋକଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଏଠାରେ ଶବଦାହ ନିମନ୍ତେ ଶ୍ମଶାନର ବ୍ୟବସ୍ଥା ମଧ୍ୟ ହୋଇପାରିନାହିଁ । ଏଠାକାର ଚାଷୀ ପ୍ରତ୍ୟେକ ବର୍ଷ ଜଳକର ଦେଉଛନ୍ତି ସତ, ହେଲେ ଚାଷଜମିରେ କେବେ ହେଲେବି ଜଳ ଦେଖିବାକୁ ପାଇନାହାନ୍ତି । ଏଠାରେ କେନ୍ଦୁଝର ଜିଲ୍ଲାର ବଡ଼ ସାପ୍ତାହିକ ହାଟ ହୁଏ, ଯାହାକି ପଞ୍ଚାୟତରୁ ଜାଗା ନେଇ ଆରଏମସି ରକ୍ଷଣାବେକ୍ଷଣ କରି ବାର୍ଷିକ ଲକ୍ଷାଧିକ ଟଙ୍କା ଲାଭବାନ ହେଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ହାଟ ମଧ୍ୟରେ ଅତି ଆବଶ୍ୟକୀୟ ସୁବିଧା ବେପାରୀ ତଥା ଲୋକଙ୍କୁ ଯୋଗାଇବାରେ ବିଫଳ ହୋଇଛି ।
ସେହିପରି ଏଠାରେ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ୍ ପରିଚିତ ଲୋକପ୍ରିୟ ଗୁଣ୍ଡିଚାଘାଗି ଜଳପ୍ରପାତ ରହିଛି। ଏଠାକୁ ହଜାର ହଜାର ଲୋକଙ୍କ ସମାଗମ ରହୁଛି । କିନ୍ତୁ, ଏପର୍ଯ୍ୟନ୍ତ ରାସ୍ତାଘାଟର ଉନ୍ନତିକରଣ ହୋଇପାରିନାହିଁ, ଅନ୍ୟ ସୁବିଧା କଥା ନ କହିବା ଭଲ, କାରଣ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ କି ଯୋଜନା ନାହିଁ ତାହା ମୂଖ୍ୟ ଆଲୋଚନାର ବିଷୟ ।
ଏହିଭଳି ବିଭିନ୍ନ ସମସ୍ୟାରେ ହରିଚନ୍ଦନପୁର ଗତି କରୁଥିବା ବେଳେ ”ଦୀପ ତଳ ଅନ୍ଧାର ଭଳି” ଏଠାରେ ସବୁ ଥାଇ ମଧ୍ୟ କିଛି ନଥିବା ଭଳି ମନେ ହୁଏ । ଏଥିପ୍ରତି ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥା ସମ୍ଭବ ସମସ୍ୟାର ସମାଧାନ କରିବାକୁ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।