
ବଲାଙ୍ଗିର, କବୟିତ୍ରୀ ସବିତା ମହରାଙ୍କ ତୃତୀୟ କବିତା ସଂକଳନ ‘ସମ୍ମୋହନ’ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଭବ୍ୟ ସମାରୋହରେ ଲୋକାର୍ପିତ ହୋଇଯାଇଛି । ସଭା ଆରମ୍ଭରେ କବୟିତ୍ରୀ ଶ୍ରୀମତୀ ମହରା ନିଜ ମନର କଥା କହିଥିବା ବେଳେ ଉନ୍ମୋଚିତ କବିତା ସଂକଳନର କିଛି କବିତା ଆବୃତ୍ତି କରିଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ, ପୁସ୍ତମ ଜୁଆଡି, ସସ୍ମିତା ନେପାକ ଓ ରାଜୀବ ପ୍ରସାଦ ଭୋଇ । ‘ସମ୍ମୋହନ’ କବିତା ସଂକଳନର ଆବେଗିକ ଆଲୋଚନା କରିଥିଲେ କବି ରତ୍ନମୟ ତ୍ରିପାଠୀ ।
ଏହି ଲୋକାର୍ପଣ ଉତ୍ସବରେ ବରେଣ୍ୟ ଅତିଥି ଭାବେ କଥାଶିଳ୍ପୀ ମଳୟ ମିଶ୍ର, ଆନନ୍ଦପୁର ସାହିତ୍ୟ ସଂସଦର ସମ୍ପାଦକ ପ୍ରଫେସର ଗଦାଧର ମିଶ୍ର, ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦାନ କରି ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋଚନା କରୁଥିବା ବେଳେ ମଞ୍ଚ ସଞ୍ଚାଳନ କରିଛନ୍ତି କବି ସନ୍ଦୀପ କୁମାର କୁଅଁର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟାଙ୍କ ଧନ୍ୟବାଦ ଅର୍ପଣ ପରେ ମଧ୍ୟାହ୍ନ ବିରତି ରଖାଯାଇଥିଲା।
ଦ୍ଵିତୀୟ ଅଧିବେଶନରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ କବି ଭାଗିରଥୀ ମିଶ୍ର ଏବଂ ସଂଯୋଜକ ଭାବେ କବି ରାଜୀବ ଲୋଚନ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଅନେକ କବି କବୟିତ୍ରୀ ନିଜର ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ।