କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଛି । ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହୋଇଥିଲେ ।ଏଥି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
କିମ୍ବଦନ୍ତି ଅନୁଯାୟୀ ସନ୍ଥ ମନୋହର ଦାସଙ୍କ ପାଇଁ ପ୍ରଭୁ
ଶ୍ରୀପଞ୍ଚମୀ ପୂର୍ବରୁ ଏହି ବେଶରେ ଦର୍ଶନ ଦେଇଥିଲେ ।
ତେଣୁ ବଡ଼ଛତା ମଠ ପକ୍ଷରୁ ଏହି ବେଶ କରାଯାଇଥିଲା । ଦ୍ବାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାସ ଶୀତ ଦିନରେ ପୁଷ୍କରଣୀରୁ ପଦ୍ମ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କ ଲାଗି ପାଇଁ ଆଣିଥିଲେ। ତେବେ ଫୁଲ ଗୁଡ଼ିକ ସବୁ ମଳିନ ପଡ଼ିଯାଇଥିବାରୁ ସେଠାରେ ଥିବା ପଣ୍ଡା ମାନେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ। ସେହିଦିନ ରାତିରେ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜପତି ମହାରାଜାଙ୍କୁ ସ୍ବପ୍ନାଦେଶ କରିବା ପରେ ପଦ୍ମବେଶରେ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ବଡ଼ଛତା ମଠ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ଯୋଗାଇ ଆସୁଥିବା ପରମ୍ପରା ଚାଲି ଆସିଛି।ଶ୍ରୀମନ୍ଦିର ମୁଖ୍ୟ ପାରମ୍ପରିକ ବେଶ କାରିଗରଙ୍କ ସହଯୋଗୀ କାରିଗର ମାନେ ହବିଷ୍ୟାନ ଗ୍ରହଣ କରି ଅତି ନିଷ୍ଠାର ସହିତ ପଣ୍ଡୁ ପୂର୍ଣ୍ଣିମା ଠାରୁ ଏହି ବେଶ ନିର୍ମାଣ କରିଥାନ୍ତି। ସୋଲ, ଜରି,କଇଁଥଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଥାଏ। ବେଶ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ବେଶ ଉଦେଶ୍ୟରେ ମଠରୁ ସନ୍ଧ୍ୟାରେ ଏହା ଶ୍ରୀମନ୍ଦିରକୁ ଅଣାଯାଇ ବେଶ କରାଯାଇଥିଲା ।
Related Stories
November 23, 2024